ଭୁବନେଶ୍ବର: ପାଟକୁରା ନିର୍ବାଚନ ମଣ୍ଡଳୀରେ ସହାନୁଭୂତି ଭୋଟ ନାହିଁ । ନିର୍ବାଚନକୁ ଘୁଞ୍ଚାଇ ଦେବା ପାଇଁ ଆରମ୍ଭରୁ ହିଁ ଚକ୍ରାନ୍ତ ହୋଇଥିଲା । ନିର୍ବାଚନ କମିଶନ ଯେଉଁ ନିଷ୍ପତ୍ତି ନେଇଛନ୍ତି ମୁଁ ତାକୁ ସ୍ବାଗତ କରିଛି । ଚକ୍ରାନ୍ତ ଓ ଷଡଯନ୍ତ୍ର ବିରୋଧରେ ହେବ ପାଟକୁରା ଲଢେଇ । ପାଟକୁରାରେ ମେ’ 19ରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ।
ବିଜୟ କହିଛନ୍ତି, ବହୁ ଆରମ୍ଭରୁ ପାଟକୁରା ନିର୍ବାଚନ ଘୁଞ୍ଚାଇବା ପାଇଁ ଚକ୍ରାନ୍ତ ହୋଇଥିଲା । ନହେଲେ ନବୀନ ନିବାସକୁ ଯିବାକୁ ଅସମର୍ଥ ଥିବା ଏବଂ ମେଡିକାଲ ବେଡରେ ପଡି ରହିଥିବା ଜଣେ ବ୍ୟକ୍ତିଙ୍କୁ ବିଜେଡି ଟିକେଟ ଦେଇନଥାନ୍ତା । ତେବେ ଏଥର ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଜୟ । ପାଟକୁରାବାସୀ ତାଙ୍କୁ ବିଧାନସଭାକୁ ପଠାଇବା ପାଇଁ ଦଳମତ ନିର୍ବିଶେଷରେ ଚାହୁଁଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା । ତେବେ ସପ୍ତମ ପର୍ଯ୍ୟାୟରେ ଏଠି ମତଦାନ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ମେ 1ରେ ପ୍ରାର୍ଥୀପତ୍ର ଦାଖଲ କରାଯିବ । କେବଳ ବିଜେଡି ପ୍ରାର୍ଥୀ ହିଁ ନାମାଙ୍କନ ଭରିପାରିବେ । ସେହିପରି ମେ 2ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ମେ 4ରେ ନାମାଙ୍କନ ପ୍ରତ୍ୟାହର କରିପାରିବେ ପ୍ରାର୍ଥୀ । ପୂର୍ବରୁ ଦାଖଲ ହୋଇଥିବା ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିବ ।
ତେବେ ଏଥର ବିଜେଡି କାହାକୁ ପ୍ରାର୍ଥୀ କରୁଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ