ଭୁବନେଶ୍ୱର: ଅପରାଧ ମୁକ୍ତ ହେବ ରାଜଧାନୀର ବସ୍ତି । ବସ୍ତିରୁ ମୂଳ ପୋଛ ହେବେ ଅପରାଧୀ । ବସ୍ତି ଅଞ୍ଚଳରେ ରହୁଥିବା ନିରୀହ ବେକାର ଯୁବକ-ଯୁବତୀଙ୍କୁ ମିଳିବ ପୋଲିସ ସହାୟତା । ବସ୍ତି ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପକୁ କମ୍ କରିବା ଲାଗି କମିଶନରେଟ ପୋଲିସ ଲାଗୁ କରିବ ଆପୋଷ ଯୋଜନା । ଏଥି ସହିତ ବସ୍ତି ଅଞ୍ଚଳରେ ଯୁବପିଢିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ହେବ ଏହି ଯୋଜନାର ମୂଳ ଲକ୍ଷ୍ୟ ।
ତେବେ ଏହି ଯୋଜନା ମାଧ୍ୟମରେ ରାଜଧାନୀରୁ ଅପରାଧ କମ ହୋଇଯିବ ବୋଲି କମିଶନର ଆଶା ପ୍ରକାଶ କରିଛନ୍ତି । ପୋଲିସ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ସୁସମ୍ପର୍କ ଆରମ୍ଭ ହେଲେ ବସ୍ତି ଅଞ୍ଚଳରେ ଲୁଚି ରହୁଥିବା ଅପରାଧୀଙ୍କ ସମ୍ପର୍କରେ ପୋଲିସକୁ ସୂଚନା ମିଳିପାରିବ ବୋଲି କମିଶନର କହିଛନ୍ତି ।
ତେବେ ତଥ୍ୟ ଅନୁସାରେ ସହରର 40 ପ୍ରତିଶତ ଅପରାଧ ବସ୍ତି ଅଞ୍ଚଳର ଯୁବପିଢିଙ୍କ ଦ୍ବାରା ହୋଇଥାଏ । ଆଗକୁ ଆସୁଛି ସାଧାରଣ ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ଆପୋଷ ଯୋଜନା କେତେ ଦୂର ଅପରାଧ ମୁକ୍ତ ବସ୍ତି ଗଠନ କରିବାରେ ସହାୟକ ହେବ ତାହା ଦେଖିବାକୁ ବାକି ରହିଲା ।
ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ