ଭୁବନେଶ୍ବର: ଚିନ୍ତାରେ ନନ୍ଦନକାନନ ଅଧିକାରୀ । ପ୍ରାଣ ହରାଇବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ବିରଳ ପଶୁ । ଗୁରୁବାର ଏଠାରେ ତଥା ଭାରତରେ ଥିବା ଏକମାତ୍ର ଓରାଙ୍ଗଉଟାନର ମୃତ୍ୟୁ ହେବା ପରେ ଶୁକ୍ରବାର ଆଖି ବୁଜିଛି ନୀଳଗିରି ଲଙ୍ଗୁର ପ୍ରଜାତିର ଏକ ମାଙ୍କଡ । ବାତ୍ୟା ଫନି ପରେ 5ବର୍ଷୀୟ ଏହି ମାଙ୍କଡଟି ଅସୁସ୍ଥ ଥିବା ବେଳେ ନନ୍ଦନକାନନରେ ଏହି ପ୍ରଜାତିର ଥିବା ଏକମାତ୍ର ଏହି ମାଙ୍କଡ ଶୁକ୍ରବାର ଅସୁସ୍ଥତା ହେତୁ ଆଖି ବୁଜିଛି ।
ସାଧାରଣତଃ ନୀଳଗିରି ଲଙ୍ଗୁର ପ୍ରଜାତିର ମାଙ୍କଡ ଚେନ୍ନାଇରେ ଦେଖାଯାଆନ୍ତି । ତେବେ ସେପ୍ଟେମ୍ବର 20, 2017ରେ ଚେନ୍ନାଇ ଚିଡିଆଖାନାରୁ ଏହି ମାଙ୍କଡକୁ ନନ୍ଦନକାନନ ଅଣାଯାଇଥିଲା । ନନ୍ଦନକାନନରେ ଏହି ପ୍ରଜାତିର ଏହା ଏକମାତ୍ର ମାଙ୍କଡ ଥିବା ବେଳେ ଏହାର ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ଓ ପଶୁପ୍ରେମୀ ।
ନନ୍ଦନକାନନରେ ଏଭଳି ବିରଳ ପଶୁମାନଙ୍କର ମୃତ୍ୟୁ ହେଉଥିବାରୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ନିରାଶା ଭାବ ପ୍ରକାଶ ପାଇଛି । ଅନ୍ୟପଟେ ଲଙ୍ଗୁରଟିର ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ପରେ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି ନନ୍ଦନକାନନ ଅଧିକାରୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ