ବୌଦ୍ଧ: ଜିଲ୍ଲା ଖମନମୁଣ୍ଡା ପଞ୍ଚାୟତ ସିଆଲଝୁଲି ଗ୍ରାମର ବିଜେପି ଯୁବ ନେତା ଲୋକନାଥ ପ୍ରଧାନଙ୍କୁ ଗତ 25 ତାରିଖରେ ହତ୍ୟା କରାଯାଇଥିଲା । କଣ୍ଟାମାଳ ପୋଲିସ ଏହାର ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କିନ୍ତୁ ଏହି ହତ୍ୟାକାଣ୍ଡ ପଛରେ ସ୍ଥାନୀୟ ବିଧାୟକ ଓ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀଙ୍କ ସମ୍ପୃକ୍ତି ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ମଙ୍ଗଳବାର ରାଜ୍ୟ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୃତକଙ୍କ ଗାଁକୁ ଯାଇ ତାଙ୍କ ପରିବାରକୁ ଭେଟିବା ସହ ଆଲୋଚନା କରିଥିଲେ ।
ସନ୍ଧ୍ୟାରେ ଏହି ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଏସପିଙ୍କୁ ଭେଟି ଏହି ହତ୍ୟାକାଣ୍ଡରେ କଣ୍ଟାମାଳ ବିଧାୟକ ଓ ଅନ୍ୟ କେତେକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ରବି ନାଏକ, ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, ଯୁବ ନେତା ଟଙ୍କଧର ତ୍ରିପାଠୀ, ଇରାସିସ ଆଚାର୍ଯ୍ୟ, ସିମାଞ୍ଚଳ ଖଟେଇ, ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, କହ୍ନେଇ ଚରଣ ଡାଙ୍ଗ, ସୌମିତ୍ରୀ ନାଏକ, ଓମପ୍ରକାଶ ମିଶ୍ର, ନାରାୟଣ କର୍ମୀ, ପ୍ରେମାନନ୍ଦ ମିଶ୍ର, ସୁଶାନ୍ତ ବାଘ ପ୍ରମୁଖ ବିଜେପି ବରିଷ୍ଠ ଓ ଯୁବନଜତା ମାନେ ଏସପିଙ୍କୁ ଭେଟି ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି । ଏନେଇ କଣ୍ଟାମାଳ ବିଧାୟକ ନିଜ ପ୍ରତିକ୍ରିୟା ଦେଇ ବିଜେପି ଅନ୍ଧାରରେ ବାଡି ବୁଲାଉଛି ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ