ବୌଦ୍ଧ: ଏନଆରଇଜିଏସ କାର୍ଯ୍ୟରେ ମେସିନ ବ୍ୟବହାରକୁ ନେଇ ମହିଳାଙ୍କୁ ମାଡ ଅଭିଯୋଗ । ଉଭୟ ପକ୍ଷରୁ ଥାନାରେ ପୃଥକ ମାମଲା ଦାୟର ହୋଇଥିବା ବେଳେ ନ୍ୟାୟ ପ୍ରଦାନ କରିବାକୁ ସରକାରଙ୍କୁ ଗୁହାରି କରିଛନ୍ତି ପୀଡିତା ମହିଳା ।
ବୌଦ୍ଧ ଜିଲ୍ଲାର ସୀମାକୁ ଲାଗି ରହିଥିବା ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ବାଜପୁର ଗ୍ରାମରେ ରାସ୍ତା ନିର୍ମାଣକୁ ନେଇ ଦେଖାଦେଇଛି ଉତ୍ତେଜନା । ଏନଆରଇଜିଏସ କାମରେ ମେସିନ ବ୍ୟବହାରକୁ ବିରୋଧ କରିବାରୁ ଜନୈକ ମହିଳାଙ୍କୁ ମାଡ ମରାଯାଇଥିବା କିଆକଟା ଥାନାରେ ଅଭିଯୋଗ ହୋଇଛି ।
ସୂଚନା ମୁତାବକ ଅନୁଗୋଳ ଜିଲ୍ଲା ଟୁସର ପଞ୍ଚାୟତର ଗୁଆପଦା ଠାରୁ ନୂଆପଡା ଯୋର ପର୍ଯ୍ୟନ୍ତ ପାଞ୍ଚ ଲକ୍ଷ ଟଙ୍କାର ଏକ ଏନ ଆର ଇଜିଏସ ରାସ୍ତା କାର୍ଯ୍ୟରେ ଦିନ ମଜୁରିଆଙ୍କୁ ଲଗାନଯାଇ ମେସିନ ବ୍ୟବହାର କରାଯାଉଛି । ଏହାକୁ ନିକଟସ୍ଥ ବାଜପୁର ଓ ଗୁଆପଦା ଗ୍ରାମର କିଛି ଲୋକ ବିରୋଧ କରି ବିଡିଓଙ୍କ ଠାରେ ଅଭିଯୋଗ କରିଥିଲେ। କିନ୍ତୁ ଏଥିରେ କିଛି ବ୍ୟକ୍ତି ଆକ୍ରୋଶ ରଖି ପ୍ରମିଳା ପ୍ରଧାନ ନାମକ ଜଣେ ମହିଳାଙ୍କୁ ମାଡ ମରାଯାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାର ଆଠ ଦିନ ପରେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ପୀଡିତା ନ୍ୟାୟ ପାଇଁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । ଘଟଣା ସମ୍ପର୍କରେ ଦୁଇ ପକ୍ଷରୁ ପୃଥକ ମାମଲା ରୁଜୁ ହେବା ସହିତ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା କିଆକଟା ଥାନା ପକ୍ଷରୁ କୁହାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ