ବୌଦ୍ଧ: ଦଶହରା ସରିଗଲା, ହେଲେ ଜମିକୁ ପହଞ୍ଚି ପାରିଲାନି ପାଣି । ଫଳରେ ଚାରିଖଣ୍ଡ ପଞ୍ଚାୟତର ହଜାର ହଜାର ଚାଷୀ ବର୍ତ୍ତମାନ ଉତ୍କଟ ମରୁଡିର ସମ୍ମୁଖୀନ ହେବାକୁ ଯାଉଛନ୍ତି । ବୌଦ୍ଧ ଜିଲ୍ଲା ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଶହଶହ ଏକର ଜମିକୁ ଜଳସେଚନ ହୋଇପାରି ନଥିବା ଅଭିଯୋଗ ହୋଇଛି ।
ଜିଲ୍ଲାର ବାଉଁଶୁଣୀ, ଗୋଛାପଡା, ଅଁଳାପାଲି ଓ ବହିରା ଭଳି ପଞ୍ଚାୟତର ତଳ ମୁଣ୍ଡରେ ଥିବା ଶହ ଶହ ଏକର ଜମିକୁ ଜଳସେଚନ ହୋଇସାରିଥିବା ନେଇ ବିଭାଗୀୟ ଯନ୍ତ୍ରୀ କାଗଜପତ୍ରରେ ଦର୍ଶାଇଥିଲେ । ତେବେ ଗତ ପ୍ରାୟ ୧୦ ଦିନ ତଳେ ଅଞ୍ଚଳର ଚାଷୀ ନିର୍ବାହୀ ଯନ୍ତ୍ରୀଙ୍କୁ ଘେରାଉ ସମୟରେ ଏଭଳି ମିଛ ଧରାପଡିଯିବା ସହିତ ସମ୍ପୃକ୍ତ ଯନ୍ତ୍ରୀ ବେଶ ହଟହଟା ହୋଇଥିଲେ ।
ସେଠାରେ ନିର୍ବାହୀ ଯନ୍ତ୍ରୀ ଦିନେ ଦୁଇ ଦିନ ମଧ୍ୟରେ ସମସ୍ତଙ୍କ ଜମିକୁ ଜଳସେଚନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ପାଣି ଜମିକୁ ପହଞ୍ଚି ପାରିନାହିଁ । ଫଳରେ ବାଉଁଶୁଣୀ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ