ବୌଦ୍ଧ: ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଉ ସଂକ୍ରମଣ ବୃଦ୍ଧି ଯୋଗୁଁ ସରକାର ଲକଡାଉନ କରିଥିବା ସମୟରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ଅସହାୟ ମଣିଷ ତଥା ବୁଲା କୁକୁର ଓ ଗାଈଗୋରୁ । ତେବେ ଏଭଳି ସ୍ଥିତିରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ଗରିବ ତଥା ଅସହାୟଙ୍କ ପାଇଁ ସରସରା ଲୋକ କଳା ବିକାଶ କେନ୍ଦ୍ର ଓ ବାଉଁଶୁଣୀ ଓ୍ବାଇସିଡିଏ ପକ୍ଷରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।
ସେହିପରି ବୌଦ୍ଧ ଜିଲ୍ଲାରେ ଲକଡାଉନ ସମୟରେ ହୋମ ଆଇସୋଲେସନରେ ଥିବା ଗରିବ ଲୋକଙ୍କ ଦୁଃଖ ମଧ୍ୟ ବେଶ ବଢିଯାଇଛି । ଖାଦ୍ୟ ସଂଗ୍ରହ ପାଇଁ ସେମାନେ ବାହାରକୁ ବି ଆସିପାରୁ ନାହାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଉତ୍ସର୍ଗ ଅନୁଷ୍ଠାନ ପକ୍ଷରୁ ଏଭଳି ପରିବାରରଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।
ସେପଟେ ଲକଡାଉନ ସମୟରେ ବୌଦ୍ଧ ପୌରାଞ୍ଚଳପକ୍ଷରୁ ପ୍ରାଣୀ କଲ୍ୟାଣ ମଞ୍ଚର ସହାୟତାରେରେ ସହରରେ ଥିବା ବୁଲା ଗାଇଗୋରୁ ଓ କୁକୁରଙ୍କ ପାଇଁ ଦୁଇ ବେଳା ପଶୁ ଆହାର ଯୋଗାଇ ଦିଆଯାଉଛି । ସ୍ବେଚ୍ଛାସେବୀଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ