ବୌଦ୍ଧ: ଷ୍ଟୋନ କ୍ରସରକୁ ନେଇ ବିବାଦ ଥମିବାର ନା ଧରୁନି । ବର୍ଷେ ପୂର୍ବରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୁଇଁ ଗ୍ରାମରେ କ୍ରସର ବନ୍ଦ ପାଇଁ ପ୍ରଶାସନ ନିଷ୍ପତ୍ତି ପରେ ବର୍ତ୍ତମାନ ପୁଣିଥରେ ଚଲାଇବାକୁ ଅନୁମତି ଦିଆଯାଇଛି । ଏହା ବିରୋଧରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜରାସ୍ତାକୁ ବନ୍ଦ କରିବା ସହ ମହିଳାମାନେ ରାସ୍ତା ଉପରେ କାର୍ତ୍ତିକ ବ୍ରତ ପାଳନ କରିଛନ୍ତି ।
ଖରଭୁଇଁ ଗ୍ରାମ ନିକଟରେ ଚାରୋଟି ଷ୍ଟୋନ କ୍ରସର ଓ ସାତଟି ପଥର କ୍ବାରି ରହିଛି । ଏଥିଯୋଗୁଁ ଅଞ୍ଚଳରେ ପରିବେଶ ପ୍ରଦୂଷଣ ଓ ସ୍ବାସ୍ଥ୍ୟ ଗତ ସମସ୍ୟା ଅଭିଯୋଗରେ ଦୀର୍ଘ ଦିନ ହେଲା କ୍ରସର ଉଛେଦ ପାଇଁ ଆନ୍ଦୋଳନ ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ଗତ ବର୍ଷ କ୍ରସର ଗୁଡିକୁ ବନ୍ଦ କରିଥିଲା । କିନ୍ତୁ କିଛିଦିନ ପୂର୍ବରୁ ବନ୍ଦ ଥିବା କ୍ରସର ପୁନଃ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ ଏହା ବିରୋଧରେ ପୁଣିଥରେ ଖରଭୁଇଁ ଅଞ୍ଚଳରେ ବିରୋଧ ଦେଖିବାକୁ ମିଳିଛି ।
ଗତ 1 ତାରିଖ ଠାରୁ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଏବଂ ସ୍କୁଲ ଛାତ୍ରଛାତ୍ରୀ କ୍ରସରକୁ ସଂଯୋଗ କରୁଥିବା ରାସ୍ତାରେ ଗଣଧାରଣାରେ ବସିରହିଛନ୍ତି । କାର୍ତ୍ତିକ ମାସ ପଞ୍ଚୁକ ଚାଲୁଥିବାରୁ ମହିଳାମାନେ ଧାରଣା ସ୍ଥଳରେ ବ୍ରତ ପାଳନ କରିଛନ୍ତି । ଏନେଇ ସେମାନେ କହିଛନ୍ତି, "କ୍ରସର ବ୍ଲାଷ୍ଟିଂ ଯୋଗୁଁ ଘର ଗୁଡ଼ିକ ଭାଙ୍ଗିବାକୁ ବସିଛି । ଗ୍ରାମର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି ।
ଏହା ମଧ୍ୟ ପଢ଼ନ୍ତୁ: ବୌଦ୍ଧରେ ସମସ୍ୟା ଘେରରେ ଅଙ୍ଗନବାଡି କେନ୍ଦ୍ର, ଅନିଶ୍ଚତତାରେ ଶିଶୁଙ୍କ ଭବିଷ୍ୟତ
କ୍ରସର ଗୁଡିକୁ ସବୁଦିନ ପାଇଁ ବନ୍ଦ କରାଯାଉ ନଚେତ ଗ୍ରାମର ସମସ୍ତ ପ୍ରାୟ 250 ପରିବାରକୁ ବିସ୍ଥାପିତ କରି ଅନ୍ୟତ୍ର ଥଇଥାନ କରାଯାଉ ।" ଯେପର୍ଯ୍ୟନ୍ତ କ୍ରସର ବନ୍ଦ ହେବ ନାହିଁ ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।" ସେପଟେ ଅଞ୍ଚଳରେ କ୍ରସର ବନ୍ଦ ଯୋଗୁଁ ଉଭୟ ସରକାରୀ ଓ ବେସରକାରୀ ଉନ୍ନୟନ କାର୍ଯ୍ୟରେ ଗଭୀର ପ୍ରଭାବ ପଡିଥିବା ସୂଚନା ମିଳିଛି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ଇଟିଭି ଭାରତ, ବୌଦ୍ଧ