ବୌଦ୍ଧ: ଗାଁରେ ମିଳୁନି ପିଇବା ପାଣି । ଫଳରେ ଦୀର୍ଘ ରାସ୍ତା ଅତିକ୍ରମ କରି ଝରଣା ନାଳ, ବନ୍ଧରୁ ପିଇବା ପାଣି ସଂଗ୍ରହ କରିବାକୁ ପଡୁଛି । ବାରମ୍ବାର ଗୁହାରି ପରେ କେହି କର୍ଣ୍ଣପାତ ନ କରିବାରୁ ମହିଳାମାନେ ଆରଡବ୍ଲୁଏସଏସ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତ ନାଏକପଡା ଗ୍ରାମର ତଳିସାହିରେ ସରକାରଙ୍କ ବସୁଧା ଯୋଜନା କାର୍ଯ୍ୟକାରୀ ହୋଇନାହିଁ । ଫଳରେ ଗାଁରେ ପାନୀୟଜଳର ଉତ୍କଟ ଅଭାବ ଦେଖାଦେଇଛି । ଗାଁରେ ଥିବା ନଳକୂପରୁ ଦୂଷିତ ପାଣି ବାହାରୁଥିବା ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାଁନ୍ତି । ଫଳରେ ଗାଁର ମହିଳାମାନଙ୍କୁ ଦୀର୍ଘ ରାସ୍ତା ଅତିକ୍ରମ କରି ପାନୀୟଜଳ ସଂଗ୍ରହ କରିବାକୁ ପଡୁଛି । ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଆଜି ଗାଁର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକତ୍ରିତ ହୋଇ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ସହ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ ।ଏନେଇ ସେମାନେ ଏକ ଦାବିପତ୍ର ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ