ବୌଦ୍ଧ: ଜିଲ୍ଲାର ହରଭଙ୍ଗା ଅନ୍ତର୍ଗତ କରଞ୍ଜକଟା ଓ ଆମ୍ବଝରୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା ହୋଇଛି । ଗମନାଗମନ, ସ୍ବାସ୍ଥ୍ୟ, ଆବାସ ଓ ସାମାଜିକ ସୁରକ୍ଷା ଭଳି ବିଭିନ୍ନ ସରକାରୀ ଯୋଜନା ଠିକ୍ରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି ।
ସମସ୍ୟା ଘେରରେ ଜିଲ୍ଲାର କରଞ୍ଜକଟା ଓ ଆମ୍ବଝରୀ ପଞ୍ଚାୟତ ରହିଛି । ସରକାରଙ୍କ ବିଭିନ୍ନ ଯୋଜନା ଏହି ସ୍ଥାନକୁ ପହଞ୍ଚିପାରୁନାହିଁ । ଜିଲ୍ଲାର ହରଭଙ୍ଗା ଅନ୍ତର୍ଗତ କରଞ୍ଜକଟା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା ହୋଇଥିବା ଲୋକମାନେ ଅଭିଯୋଗ କରିଛନ୍ତି । ସେଠାରେ ପଞ୍ଚାୟତର ନିଜସ୍ବ କାର୍ଯ୍ୟାଳୟ ଗୃହ ଦୀର୍ଘଦିନ ହେଲା ନିର୍ମାଣ ଚାଲି ରହିଥିବା ବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ପଞ୍ଚାୟତ ଗୃହ ନିର୍ମାଣରେ ଏଭଳି ସମସ୍ୟା ଦେଖି ସାଧାରଣ ଗରିବ ହିତାଧିକାରୀ ନିଜ ସମସ୍ୟାର ସମାଧାନ ବିଷୟରେ ଆଶା ଛାଡିଦେଇଥିବା କହିଛନ୍ତି । ଆବାସଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ବ୍ୟବସ୍ଥା ପଞ୍ଚାୟତରେ ବିପର୍ଯ୍ୟସ୍ତ ହୋଇ ପଡିଛି ।
ସେହିପରି ବୌଦ୍ଧ ବ୍ଲକର ଆମ୍ବଝରୀ ପଞ୍ଚାୟତରେ ସମସ୍ୟା ଓ ଦୁର୍ନୀତି ବଢିବାରେ ଲାଗିଛି । ଏଠାରେ କନ୍ଧ ସମ୍ପ୍ରଦାୟର ଲୋକଙ୍କୁ ଆବାସ ଗୃହ ମିଳିନାହିଁ । ରାସ୍ତା ଘାଟଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନା ପହଞ୍ଚି ପାରିନାହିଁ । ବର୍ତ୍ତମାନ ବନ୍ୟା ପରବର୍ତ୍ତୀ କ୍ଷତିକୁ ସୁଧାରିବା ପାଇଁ ସରକାରଙ୍କ ପ୍ରଦତ୍ତ ଏଫଡିଆର ଅର୍ଥ କିଭଳି ଓ କେଉଁ ଉପାୟରେ ଖର୍ଚ୍ଚ କରାଯିବ ତାର ରୂପରେଖ ପଞ୍ଚାୟତରୁ ଇସ୍ତଫା ଦେଇଥିବା ସମିତି ସଭ୍ୟ ମଧ୍ୟ ଜାଣିପାରୁ ନଥିବା ଅଭିଯୋଗ କରିଛନ୍ତି । ଜିଲ୍ଲାର ଏହି ଦୁଇଟି ପଞ୍ଚାୟତର ଏଭଳି ଅବ୍ୟବସ୍ଥା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ