ବୌଦ୍ଧ: କାର୍ତ୍ତିକ ମାସର ପ୍ରଥମ ସୋମବାର ଆରମ୍ଭରୁ ଘଟିଛି ଅଘଟଣ । ବୌଦ୍ଧ ଓ ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକ ନିକଟରେ ରବିବାର ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ସହିତ ଦଶରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ରବିବାର ରାତି ପ୍ରାୟ ସାଢେ 12ଟା ବେଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବୌଦ୍ଧ ଓ ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକ ନିକଟରେ ବଲାଙ୍ଗୀର ଅଞ୍ଚଳର ଏକ ପରିବାର ଶୁଭ କାର୍ଯ୍ୟ ସାରି ଏକ ଇନୋଭା କାରରେ ଫେରୁଥିବା ସମୟରେ କିଆକଟା ଛକ ନିକଟରେ କିଛି ସମୟ ପାଇଁ ରହିଥିଲେ । କାରରେ ଥିବା ସମୁଦାୟ ଆଠ ଜଣଙ୍କ ମଧ୍ୟରୁ ଛଜଣ ଓହ୍ଲାଇ ଥିଲେ ଏବଂ ଆଉ 2ଜଣ କାର ଭିତରେ ହିଁ ବସିଥିଲେ ।
ଠିକ୍ ଏହି ସମୟରେ ବୁର୍ଲାରୁ ବ୍ରହ୍ମପୁର ଯାଉଥିବା ଏକ ଘରୋଇ ବସ ସେହି ବୁଲାଣିରେ ଭାରସାମ୍ୟ ରକ୍ଷା କରିନପାରି ଓଲଟି ପଡିଥିଲା ଏବଂ ସିଧା କାର ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ କାରରେ ବସିଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା 25 ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ଦଶରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣା ସ୍ଥଳରେ କିଆକଟା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଘରୋଇ ବସ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ