ବୌଦ୍ଧ: ବନ୍ୟପ୍ରାଣୀଙ୍କ ପ୍ରାକୃତିକ ଆବାସ ସ୍ଥଳୀ ବର୍ତ୍ତମାନ ଅସୁରକ୍ଷିତ ହୋଇ ପଡିଛି । ଭାରତ ସରକାର ବନ୍ୟପାଣି ସଂରକ୍ଷଣ ପାଇଁ ଅନେକ କାର୍ଯ୍ୟ କରିଥିବା ବେଳେ ଏହାର ସଠିକ ଭାବେ କାର୍ଯ୍ୟକାରୀ ହେଇପାରୁ ନାହିଁ । ଭାରତର ଅନ୍ୟତମ ବନ୍ୟପ୍ରାଣୀ ଅଭୟାରଣ୍ୟର ମୁଖ୍ୟ ଫାଟକ ଦୀର୍ଘ ପାଞ୍ଚଦିନ ହେଲା ମୁକୁଳା ପଡିଥିବାରୁ ଏନେଇ ପରିବେଶ ପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ବୌଦ୍ଧ ଜିଲ୍ଲା ସମେତ ନୟାଗଡ଼ ଓ ଅନୁଗୁଳ ସୀମାକୁ ସଂଲଗ୍ନ ହୋଇ ରହିଛି ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ।
ବୌଦ୍ଧ ଜିଲ୍ଲା କୁଶଙ୍ଗ ପଞ୍ଚାୟତର ଅତଳସରାଠାରୁ ନେଇ ନୟାଗଡ଼ ଜିଲ୍ଲାର ଛାମୁଣ୍ଡିଆ ପର୍ଯ୍ୟନ୍ତ ବିସ୍ତୃତ ଅଭୟାରଣ୍ୟରେ ମଧ୍ୟରେ ଅନେକ ବଣ ଜଙ୍ଗଲକୁ ନେଇ ପଦ୍ମତୋଳା ଅଭୟାରଣ୍ୟ ସହିତ ଶୀତଳପାଣି ଓ ମହାନଦୀ ବାଘ ଅଭୟାରଣ୍ୟ ରହିଥିବା ବେଳେ ଅନ୍ୟ ପାର୍ଶ୍ଵରେ ମହାନଦୀର ଗଣ୍ଡରେ ରହିଛି ସାତକୋଶିଆର କୁମ୍ଭୀରଙ୍କ ବାସସ୍ଥଳୀ । ତେବେ ଏହି ଅଞ୍ଚଳକୁ ସୁରକ୍ଷା ଦେବାପାଇଁ ନିୟୋଜିତ ଗାର୍ଡମାନଙ୍କୁ ଆଠ ମାସ ପର୍ଯ୍ଯନ୍ତ ଦରମା ନଦେବା କାରଣରୁ ସେମାନେ ଅଭୟାରଣ୍ୟରେ ଗେଟ୍କୁ ସୁରକ୍ଷା ଦେବାକୁ ମନା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଏହି ଅଭୟାରଣ୍ୟ ମଧ୍ୟରେ ପଦ୍ମତୋଳା, ଗେରେଡିସାହି, ନୂଆସାହି ଓ ମାରଡା ଭଳି କେତେକ ଗ୍ରାମ ରହିଛି ।
ତେବେ ଗତ ପାଞ୍ଚ ଦିନ ତଳେ ଅଭୟାରଣ୍ୟର ଜଣେ ସ୍କ୍ବାର୍ଡ କର୍ମଚାରୀଙ୍କୁ ଜଙ୍ଗଲ ବିଭାଗର ଗାର୍ଡ ଫାର୍ସା ଦ୍ବାରା ମରଣାନ୍ତକ ଆକ୍ରମଣ କରିଥିଲେ । ଜଙ୍ଗଲ କର୍ମଚାରୀ ଅଭୟାରଣ୍ୟ ମଧ୍ୟରେ ଏକ ପ୍ରାପ୍ୟ କାରବାର କୁନେଇ ଆକ୍ରମଣ କରିଥିଲେ । ସ୍କ୍ବାର୍ଡ କର୍ମଚାରୀଙ୍କୁ ଆକ୍ରମଣର ପ୍ରତିବାଦ କରି ଗତ ପାଞ୍ଚଦିନ ହେଲା ଅଭୟାରଣ୍ୟର ସମସ୍ତ ସ୍କ୍ବାର୍ଡ କର୍ମଚାରୀ କାମ ବନ୍ଦ କରିଦେଇଛନ୍ତି । ଫଳରେ ଅଭୟାରଣ୍ୟର ମୁଖ୍ୟ ଫାଟକ ମଧ୍ୟ ଗତ ପାଞ୍ଚଦିନ ହେଲା ମୁକୁଳା ପଡିଛି ।
ସେପଟେ ଅଭୟାରଣ୍ୟର ଫାଟକ ଖୋଲା ଥିବାରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା କୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭୟାରଣ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବନ୍ୟଜନ୍ତୁ ଶୀକାରୀମାନେ ବର୍ତ୍ତମାନ ତତ୍ପରତା ଦେଖାଇବା ଆରମ୍ଭ କରିଥିବା ସୂଚନା ମିଳିଛି । ତୁରନ୍ତ ଏଦିଗରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଅଭୟାରଣ୍ୟ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହାସବ ସୁରକ୍ଷା କର୍ମୀମାନେ ନ ରହିବା ଫଳରେ ଜଙ୍ଗଲ ଜାତ ଦ୍ରବ୍ୟ ନଷ୍ଟ ହେବା ସହ ପଶୁ ଶୁକାର ବଢିବାରେ ଲାଗିଛି ।
ଇଟିଭି ଭାରତ, ବୌଦ୍ଧ