ବୌଦ୍ଧ: ମଣିଷ ପାଇଁ ସତେଯେମିତି ମନା ହୋଇଯାଇଛି ମନରେଗା । ବିଭିନ୍ନ ଉପାନ୍ତ ପଞ୍ଚାୟତରେ ମଣିଷ ବଦଳରେ ଜେସିବି ଓ ଟ୍ରାକ୍ଟର ଦ୍ବାରା ହେଉଛି ଏଭଳି ବେଆଇନ କାର୍ଯ୍ୟ । ବୌଦ୍ଧ ଜିଲ୍ଲାର ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି କଣ୍ଟାମାଳ ବ୍ଲକ ।କଣ୍ଟାମାଳ ବ୍ଲକର ଏକ ନମ୍ବର ଜୋନ ଅନ୍ତର୍ଗତ ନାରାୟଣ ପ୍ରସାଦ, ଖମନମୁଣ୍ଡା, ଉମା, ଖୁଣ୍ଟିଗୋରା, ଆମ୍ବଗାଁ, ବରଗାଁ, କୁଳୁତାଯୋର, ଘଣ୍ଟାପଡା ଭଳି ଉପାନ୍ତ ପଞ୍ଚାୟତ ଗୁଡିକରେ ଶ୍ରମିକଙ୍କୁ ମନରେଗା କାର୍ଯ୍ୟରେ ନିୟୋଜିତ କରାନଯାଇ ମେସିନ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଛି ।
ଫଳରେ ଏସବୁ ଅଞ୍ଚଳରୁ ପ୍ରତ୍ୟେକ ଦିନ ଶ୍ରମିକମାନେ କାମ ଧନ୍ଦା ଅଭାବରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ମଷ୍ଟର ରୋଲ ଠାରୁ ନେଇ ଏସଏଫସି, ସିଏଫସି, ଡବ୍ଲୁଓଡିସିର ଗୋଲକ ଧନ୍ଦାରେ ମନରେଗା ବାଟବଣା ହୋଇଥିବା ଅଭିଯୋଗ ହୋଇଛି ।ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ