ବୌଦ୍ଧ: ବହୁବିଧ ସମସ୍ୟା ଘେରରେ ଆଇଟିଆଇ କଲେଜ ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଉଦାସୀନ । ଏନେଇ ଅଭିଯୋଗ କଲେ ଓଲଟା ଗାଳିଗୁଲଜ ଶୁଣିବାକୁ ମିଳୁଛି । ଶେଷରେ ଅନ୍ୟୋପାୟ ହୋଇ ଉତ୍ୟକ୍ତ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଲେ ।
ବୌଦ୍ଧ ଜିଲ୍ଲାର ଏକମାତ୍ର ଆଇଟିଆଇ ବୌଦ୍ଧ ଠାରୁ ପ୍ରାୟ ବାର କିଲୋମିଟର ଦୂର ଗୌଡଦେଇ ଠାରେ ପ୍ରତିଷ୍ଠା ହୋଇଛି । କିନ୍ତୁ ଏଠାରେ ନା ଅଛି ପାନୀୟଜଳ ସୁବିଧା, ନା ହଷ୍ଟେଲ, ନା ଅଛି ବିଦ୍ୟୁତ ସୁବିଧା । ହଁ କେବଳ କାମଚଳା ପାଇଁ ନିକଟରେ ଥିବା ପଲିଟେକନିକ କଲେଜ ଉପରେ ସବୁକିଛି ନିର୍ଭରଶୀଳ । ସେପଟେ ପାଠପଢା ନାଁରେ ଛାତ୍ରଛାତ୍ରୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ କରି ଶେଷରେ ବୁଧବାର ଉତ୍ୟକ୍ତ ଛାତ୍ରଛାତ୍ରୀ ଆଇଟିଆଇ କଲେଜ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ ସହ ଦିନ ତମାମ ଧାରଣାରେ ବସିଥିଲେ ।
ଗୁରୁବାର ବୌଦ୍ଧ ପୋଲିସ ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି କିଛି ଛାତ୍ରଛାତ୍ରୀ ପ୍ରତିନିଧିଙ୍କୁ ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଫେରିଥିଲେ । ସେପଟେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କ ବଦଳି ଓ କଲେଜରେ ରହିଥିବା ସମସ୍ୟା ସମାଧାନ ପାଇଁ ଦାବି କରି ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ନୂଆ ଆଇଟିଆଇ କୋଠାରେ ପାନୀୟଜଳ, ବିଦ୍ୟୁତ ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାନଯିବା ପୂର୍ବରୁ କାହିଁକି ବୌଦ୍ଧରୁ ଗୌଡଦେଇକୁ କଲେଜକୁ ତରବରିଆ ଭାବରେ ଉଠାଇନିଆଗଲା ସେ ନେଇ ଉଠିଛି ପ୍ରଶ୍ନବାଚୀ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ