ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଚଞ୍ଚକତା ଅଭିଯୋଗ । ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଘର ଚୋରି ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଘର ଚୋରି ଭଳି ଅଭିଯୋଗ ହୋଇଥିବା ବେଳେ ସାମାଜିକ କର୍ମୀ ଏହାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର କିଛି ପଞ୍ଚାୟତରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଚଞ୍ଚକତା ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ଅସହାୟ ତଥା ଅତ୍ୟନ୍ତ ଗରିବ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ ଆହୁରି ଅନେକ ଏହି କଲ୍ୟାଣକାରୀ ଯୋଜନାରୁ ବାଦ ପଡୁଥିବା ଦେଖାଯାଉଛି । ସେପଟେ କିଛି ପଞ୍ଚାୟତର ଘର ଅନ୍ୟ ପଞ୍ଚାୟତକୁ ଚାଲି ଯାଉଥିବା ସମୟରେ ଏବେ ପୁଣି ଆବାସ ଗୃହ ଚୋରି ଭଳି ଅଭିଯୋଗ ଆସିଛି ।
୨୦୨୨ ସୁଦ୍ଧା ଏହି ଯୋଜନା ଅନୁସାରେ ସମସ୍ତଙ୍କୁ ବାସଗୃହ ଯୋଗାଇ ଦେବା ଏହି ମିଶନର ଲକ୍ଷ୍ୟ । ହେଲେ ସ୍ଵାଧୀନତା ଦୀର୍ଘ ୭3 ବର୍ଷ ବିତିଯାଇ ଥିଲେ ବି ଏପର୍ଯ୍ୟନ୍ତ ଭାରତରେ ସମସ୍ତଙ୍କୁ ନିଜସ୍ବ ବାସ ଗୃହ ଯୋଗାଇ ଦିଆଯାଇ ପାରିନାହିଁ । ଯାହା ଏହି ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ