ବୌଦ୍ଧ: ଘୋର ଅବ୍ୟବସ୍ଥା ମଧ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟ । ବୌଦ୍ଧ ଜିଲ୍ଲା ତେତେଲେଙ୍ଗାରେ ଥିବା ଆଦର୍ଶ ବିଦ୍ୟାଳୟ ପରିତ୍ୟକ୍ତ ଅବସ୍ଥାର ରହିଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ବୌଦ୍ଧ ବ୍ଲକ ପାଇଁ ତେତେଲେଙ୍ଗା ଠାରେ ପ୍ରାୟ ଚାରି ବର୍ଷ ତଳେ ପ୍ରତିଷ୍ଠା ହୋଇଥିଲା ଓଡିଶା ଆଦର୍ଶ ବିଦ୍ୟାଳୟ । କିନ୍ତୁ ଏହି ବିଦ୍ୟାଳୟକୁ ଦେଖିଲେ ଶିକ୍ଷାନୁଷ୍ଠାନର ଆଖିଦୃଶିଆ ବିକାଶ ହୋଇନଥିବା ଅନୁମେୟ ହୁଏ । ବିଦ୍ୟାଳୟର ଶିକ୍ଷକଙ୍କ ଠାରୁ ଆରମ୍ଭ କରି ସଂଯୋଗକାରୀ ରାସ୍ତା ପର୍ଯ୍ୟନ୍ତ ସବୁ ଯେପରି ଅଧପନ୍ତରିଆ ହୋଇରହିଛି । ଏବେ ଲକଡାଉନ ଯୋଗୁଁ ବିଦ୍ୟାଳୟ ପରିସର ଏକରକମ ପରିତ୍ୟକ୍ତ ହୋଇପଡିଥିବାରୁ କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେ ଅବିଭାବକ ମିଶି ଶୁକ୍ରବାର ପରିସରକୁ ସଫାସୁତୁରା ସହ କିଛି ଗଛ ଲଗାଇଛନ୍ତି ।
ତେବେ ବିଦ୍ୟାଳୟର ଏହି ସମସ୍ୟା ସମ୍ପର୍କରେ ଅବିଭାବକ ମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନର ଦୃଷ୍ଟି କେବେ ପଡିବ ଏହି ବିଦ୍ୟାଳୟରେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ