ବୌଦ୍ଧ: ଜିଲ୍ଲା ସଦର ମହକୁମାରେ ଅନେକ ମନ୍ଦିର ରହିଥିବା ବେଳେ ତାହା ଅବହେଳିତ ଅବସ୍ଥାରେ ରହିଥିଲା । ତେବେ ବୁଧବାର ମନ୍ଦିରର ବିକାଶ ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ମନ୍ଦିରର ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
ମଠ ମନ୍ଦିରର ଜିଲ୍ଲାରେ ଅବହେଳିତ ଅବସ୍ଥାରେ ଅନେକ ପ୍ରାଚୀନ ଧାର୍ମିକ ପୀଠ ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କେତେକ ମନ୍ଦିରର ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଐତିହ୍ୟ ପୂର୍ଣ୍ଣ ତଥା ପ୍ରାଚୀନ ମନ୍ଦିର ରହିଛି । ବୌଦ୍ଧର ରାମେଶ୍ୱର ମନ୍ଦିର, ଗନ୍ଧରାଡିର ହରିହର ମନ୍ଦିର ଓ ବୌଦ୍ଧ କିର୍ତ୍ତୀରାଜି ସହିତ ଦେବୋତ୍ତର ବିଭାଗ ଅଧିନରେ ଅନେକ ମନ୍ଦିର ରହିଛି । କିନ୍ତୁ ଅନେକ ମନ୍ଦିରରେ ପରିଚାଳନା କମିଟି ଠାରୁ ନେଇ ପାରିପାର୍ଶ୍ବିକ ବିକାଶରେ ବ୍ୟାପକ ସମସ୍ୟା ରହିଆସିଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବୌଦ୍ଧ ସହରର ଦେବୋତ୍ତର ବିଭାଗ ଅଧିନରେ ଥିବା ମନ୍ଦିରର କର୍ମକର୍ତ୍ତାଙ୍କ ସହିତ ବିଚାର ବିମର୍ଷ କରିବା ସହିତ ଏସବୁ ପ୍ରାଚୀନ ମନ୍ଦିର ଓ ବୌଦ୍ଧ କିର୍ତ୍ତୀରାଜିର ବିକାଶ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: ସନ୍ଥ ତୁକାରାମଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ମାଗିଲେ ଧିରେନ୍ଦ୍ର ଶାସ୍ତ୍ରୀ
ବିଶେଷ ଭାବରେ ବିଭିନ୍ନ ମନ୍ଦିରର ପରିଚାଳନା କମିଟି ଆସନ୍ତା ପନ୍ଦର ଦିନ ମଧ୍ୟରେ ଗଠନ କରାଯିବା ସହିତ ମନ୍ଦିରର ପରିବେଶ ସ୍ବଛତା ଠାରୁ ନେଇ ଆଲୋକୀକରଣ ଓ ଅନ୍ୟାନ୍ୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବୌଦ୍ଧ ସହରର ମହାନଦୀ କୂଳରେ ଅବସ୍ଥିତ ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ଚିରଘାଟ ଓ ହନୁମାନ ମନ୍ଦିର ଘାଟ ଅଞ୍ଚଳକୁ ସମ୍ପୂର୍ଣ୍ଣ ମଳମୁକ୍ତ ଅଞ୍ଚଳରେ ପରିଣତ କରି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗୁରୁବାର ଠାରୁ ଏନେଇ ପୌର ପ୍ରଶାସନ କଡାକଡି ଭାବରେ ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଦେବା ସହ ଫାଇନ ଆଦାୟ ଭଳି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।
ଏନେଇ ଜିଲ୍ଲା ବ୍ରାହ୍ମଣ ସମାଜର ସମ୍ପାଦକ କହିଛନ୍ତି, " ଐତିହାସିକ ବୌଦ୍ଧ ସହର ହେଇଛି ମଠ ମନ୍ଦିରର ସହର । ଦୀର୍ଘ ବର୍ଷପରେ ଏଥିପ୍ରତି ଦୃଷ୍ଟି ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଏହା ନିହାତି ସ୍ବାଗତଯୋଗ୍ୟ ପଦକ୍ଷେପ । "
ଇଟିଭି ଭାରତ, ବୌଦ୍ଧ