ବୌଦ୍ଧ: ଜିଲ୍ଲା ଶିକ୍ଷା ବିଭାଗରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ଶିକ୍ଷକଙ୍କ ପଦୋନ୍ନତିକୁ ନେଇ ଶିକ୍ଷା ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ଶିକ୍ଷକ । ଶିକ୍ଷକଙ୍କ ପଦୋନ୍ନତିକୁ ନେଇ ବାରମ୍ବାର ତାରିଖ ଘୁଞ୍ଚାଇ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ 146 ଜଣ ଲେବେଲ ଥାର୍ଡ ପ୍ରଧାନ ଶିକ୍ଷକ ଓ 68 ଜଣ ଲେବେଲ ଫୋର୍ଥର ପ୍ରଧାନ ଶିକ୍ଷକଙ୍କ ପଦୋନ୍ନତି ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ । ହେଲେ ବିଭାଗ ପକ୍ଷରୁ ବାରମ୍ବାର ଶିକ୍ଷକଙ୍କୁ ହଇରାଣ କରାଯାଇ ଏହାକୁ ଟାଳି ଦିଆଯାଉଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶିକ୍ଷା ବିଭାଗ ଦୁଇ ଦୁଇ ଥର ଏହି ପଦୋନ୍ନତି ନିମନ୍ତେ ତାରିଖ ଧାର୍ଯ୍ୟ କରିଛି । ହେଲେ ଏହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ ।
ଶେଷ ମୁହୁର୍ତ୍ତରେ କୋର୍ଟଙ୍କ ରହିତାଦେଶକୁ ଭିତ୍ତିକରି ପୁଣିଥରେ ଶିକ୍ଷକଙ୍କ ଏହି ପଦୋନ୍ନତିର ଭବିଷ୍ୟତ ଅନ୍ଧକାର ମଧ୍ୟରେ ରହିଯାଇଛି । ତେବେ ବାରମ୍ବାର ଶିକ୍ଷକଙ୍କ ଦାବିକୁ ଶିକ୍ଷା ବିଭାଗ ଅଣଦେଖା କରୁଥିବା ନେଇ ଅଭିଯୋଗ ହୋଇଛି । ଜିଲ୍ଲା ଶିକ୍ଷା ବିଭାଗ ଗତ ଜୁନ ଆଠ ତାରିଖରେ ଚିଠି ମାଧ୍ୟମରେ ପ୍ରତ୍ୟେକ ବ୍ଲକରେ କାଉନସେଲିଂ ନିମନ୍ତେ ଉଭୟ ବର୍ଗର ଶିକ୍ଷକଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ଆଜି ଏଭଳି ପରିସ୍ଥିତି ଉପୁଜିଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି ।
ବୁଧବାର ଜିଲ୍ଲାର ଉଭୟ ଲେବେଲ ଥାର୍ଡ ଓ ଲେବେଲ ଫୋର୍ଥର ପଦୋନ୍ନତି ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଭବନରେ ପଶି ସକାଳୁ ଧାରଣାରେ ବସିଥିଲେ । ଧାରଣା ସ୍ଥଳରେ କିଛି ସମୟ ପାଇଁ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶିକ୍ଷକଙ୍କ ଏହି ପଦୋନ୍ନତି ପଛରେ ବଡ ଧରଣର ଆର୍ଥିକ ନେଣଦେଣ ରହିଛି ବୋଲି ଆଭିଯୋଗ କରିଛନ୍ତି ଶିକ୍ଷକ ।
ବୌଦ୍ଧ ଜିଲ୍ଲାର ଶିକ୍ଷା ବିଭାଗରେ ନକଲି ସାର୍ଟିଫିକେଟ ଧାରୀ ଶିକ୍ଷକ ଠାରୁ ନେଇ ଶିକ୍ଷା ବିଭାଗର କର୍ମଚାରୀଙ୍କ ଦୁର୍ନୀତି ଖୋର ମନୋଭାବ ସବୁବେଳେ ଚର୍ଚ୍ଚାର ବିଷୟ ହୋଇ ରହିଆସିଛି । ଅନେକ ସମୟରେ ଶିକ୍ଷକ ବଦଳିରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଥିବା ବେଳେ ବର୍ତ୍ତମାନ ପୁଣିଥରେ ପଦୋନ୍ନତି ପାଇଁ ବଡ ଧରଣର ଆର୍ଥିକ କାରବାର ସବୁଆଡେ ଚର୍ଚ୍ଚା ଜୋର ଧରିଛି ।
ଇଟିଭି ଭାରତ, ବୌଦ୍ଧ