ବୌଦ୍ଧ: ଅହେତୁକ ଫି ବୃଦ୍ଧି ନେଇ ବୌଦ୍ଧ ଜିଲ୍ଲାର ପ୍ରଥମ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଚି ହୋଇଛି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ବୌଦ୍ଧ ଜିଲ୍ଲାର ପଞ୍ଚାୟତ ମହାବିଦ୍ୟାଳୟରେ ବାରମ୍ବାର ଉତ୍ତେଜନା ଦେଖାଦେଇଛି । କଲେଜର ବିଭିନ୍ନ ସମସ୍ୟା ସହ ହଠାତ୍ ଷ୍ଟେଡେଣ୍ଟ ଫି ବୃଦ୍ଧିକୁ ଛାତ୍ରଛାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି । ଜିଲ୍ଲାର ପ୍ରଥମ କଲେଜ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇ ପାରିନାହିଁ । କଲେଜ ବ୍ୟାପକ ସମସ୍ୟା ଘେରରେ ଛନ୍ଦି ହୋଇ ରହିଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । କଲେଜ ପାଚେରୀ ଠାରୁ ନେଇ ଶୌଚାଳୟ, କମ୍ପ୍ୟୁଟର, ଜେନେରେଟର, କମନରୁମ ଭଳି ବ୍ୟାପକ ସମସ୍ୟାର ଲମ୍ବା ତାଲିକା ରହିଥିବା ବେଳେ ବର୍ତ୍ତମାନ ପୁଣି ବର୍ଦ୍ଧିତ ଫି ଛାତ୍ରଛାତ୍ରୀଙ୍କ ଉପରେ କଲେଜ କର୍ତ୍ତୃପକ୍ଷ ଲଦିଦେଇଥିବା ଅଭିଯୋଗ ହୋଇଛି ।
ଗୁରୁବାର ଛାତ୍ରଛାତ୍ରୀ ମାନେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଲେଜରେ ଶିକ୍ଷା କମ ରାଜନୀତି ବେଶୀ ହେଉଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ