ବୌଦ୍ଧ: ଜିଲ୍ଲାର ଇଷ୍ଟ ଦେବୀ ହେଉଛନ୍ତି ମା' ଭୈରବୀ । ପ୍ରାଚୀନ କାଳରୁ ମା' ଏଠାରେ ରୀତିନୀତି ଅନୁଯାୟୀ ପୂଜା ପାଇ ଆସୁଛନ୍ତି । ମା'ଙ୍କର ଏହି ପୀଠରେ ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି । ମା'ଙ୍କର ମହାଷ୍ଟମୀରେ ସ୍ବତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇଥାଏ । ତାହାକୁ ମା' ଙ୍କର ଗୁପ୍ତ ପୂଜା କୁହାଯାଇଥାଏ । ମହାଷ୍ଟମୀର ମଧ୍ୟ ରାତ୍ରୀରେ ମାଙ୍କର ଗୁପ୍ତ ପୂଜା ଶେଷ ହେବା ପରେ ଦେବୀ ଭୈରବୀ ଆଜି ( ସୋମବାର ) ନବମୀରୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।
ଶାରଦୀୟ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ବିଭିନ୍ନ ପୂଜା ମଣ୍ଡପ । ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଦେବୀ ଭୈରବୀଙ୍କ ପୀଠରେ ମୂଳାଷ୍ଟମୀରୁ ଆରମ୍ଭ ହୋଇଥିବା ଗୁପ୍ତ ପୂଜା ମହାଷ୍ଟମୀର ମଧ୍ୟରାତ୍ରୀରେ ସମାପ୍ତ ହୋଇଛି । ସୋମବାର ନବମୀ ପାଇଁ ଶ୍ରଦ୍ଧାଳୁ ମା ଭୈରବୀଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ । ମା'ଙ୍କର ଏହି ପୀଠରେ ସ୍ବତନ୍ତ୍ର ମହାତ୍ମ୍ୟ ରହିଛି । ଭକ୍ତ ଯେତେବେଳେ ମାଙ୍କୁ ଭକ୍ତି ମନରେ ଡାକିଛି ମା' ସେତେବେଳେ ଭକ୍ତଙ୍କ ସୁଖ ଦୁଃଖରେ ଠିଆ ହୋଇଛନ୍ତି ବୋଲି ସମସ୍ତଙ୍କର ବିଶ୍ବାସ ରହିଛି । ଭକ୍ତକୁ ବିପଦରୁ ମୁକ୍ତ କରିଛନ୍ତି । ତାର ଦୁଃଖ ହରଣ କରିଛନ୍ତି । ତେଣୁ ମା'ଙ୍କର କୃପା ପାଇବା ପାଇଁ ବହୁ ଦୂର ଦୁରାନ୍ତରରୁ ଭକ୍ତ ଏଠାକୁ ଧାଇଁ ଆସିଥାନ୍ତି ।
ଘଣ୍ଟାପଡାର ସମଲେଶ୍ବରୀ ମନ୍ଦିର ଠାରୁ ନେଇ ଚଣ୍ଡିତଳର ସପ୍ତ ମାତୃକାପୀଠ ପର୍ଯ୍ୟନ୍ତ ସବୁଠାରେ ସ୍ବତନ୍ତ୍ର ରିତୀନିତୀରେ ପୂଜା କରାଯାଉଛି । ବୌଦ୍ଧ ଜିଲ୍ଲାର ସଦର ମହକୁମା ସମେତ ଘଣ୍ଟାପଡା, କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣାକଟକ, ଚାରିଛକ ଭଳି ଅନେକ ସ୍ଥାନରେ ପୂଜା ପାଉଛନ୍ତି ଜଗତ ଜନନୀ । ସେହିପରି ବୌଦ୍ଧ ଜିଲ୍ଲାର ଗେହ୍ଲାମାଙ୍କ ପୀଠରେ ଦେବୀଙ୍କ ପାଦୁକା ଦର୍ଶନ ପାଇଁ ନବମୀ ତିଥିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ହୋଇଥିଲା । ସେପଟେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବୌଦ୍ଧ ଜିଲ୍ଲାପାଳ ଏବଂ ପୌର ଅଧ୍ୟକ୍ଷ ବିଭିନ୍ନ ପୂଜା ମଣ୍ଡପ ବୁଲି ଦୁର୍ଗତି ନାଶିନୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।
ଇଟିଭି ଭାରତ, ବୈଦ୍ଧ