ବୌଦ୍ଧ: ଉପାନ୍ତ ଅଞ୍ଚଳରେ ବାଟବଣା ସାମାଜିକ ସୁରକ୍ଷା ଯୋଜନା । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମାନସିକ ଭିନ୍ନକ୍ଷମ, ଶାରୀରିକ ଭିନ୍ନକ୍ଷମ ଓ ଅନ୍ୟାନ୍ୟ ଅସହାୟଙ୍କ ପାଇଁ ସରକାରୀ ଯୋଜନା ଠିକରେ କାର୍ଯ୍ୟକାରୀ ହୋଇପାରୁ ନଥିବା ଦେଖିବାକୁ ମିଳିଛି ।
ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ସାମାଜିକ ସୁରକ୍ଷା ଯୋଜନା ଠିକରେ କାର୍ଯ୍ୟକାରୀ ହୋଇପାରୁନାହିଁ । ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ପ୍ରତ୍ୟେକ ଦିନ ଏନେଇ ଜିଲ୍ଲାପାଳଙ୍କ ନିକଟକୁ ଗୁହାରି ପାଇଁ ପହଞ୍ଚୁଛନ୍ତି ହିତାଧିକାରୀ । ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ସାମାଜିକ ସୁରକ୍ଷା ଯୋଜନା ବାଟବଣା ହେଲାଭଳି ମନେହୋଇଛି ।
ବୌଦ୍ଧ ଜିଲ୍ଲା ତିଲେଶ୍ବର ପଞ୍ଚାୟତ କୃଷ୍ଣପାଲି ଗ୍ରାମର ମମତାଙ୍କ ଦୁଇ ବର୍ଷର ପୁଅ ମାନସିକ ଓ ଶାରୀରିକ ଭିନ୍ନକ୍ଷମ ଅଟନ୍ତି । କିନ୍ତୁ ପୁଅର ସହାୟତା ପାଇଁ ପଞ୍ଚାୟତକୁ ଦୌଡ଼ି ଦୌଡ଼ି ମମତା ନୟାନ୍ତ ହୋଇସାରିଲେଣି । ସେହିପରି ଖଲିଆପାଲି ପଞ୍ଚାୟତ ପୁଡୁପଥର ଗ୍ରାମର ଆରତୀଙ୍କ ସ୍ବାମୀଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।
ଏନେଇ ସମସ୍ତ କାଗଜପତ୍ର ପଞ୍ଚାୟତରେ ଦାଖଲ କଲେ ମଧ୍ୟ ତାଙ୍କୁ କୌଣସି ସରକାରୀ ସହାୟତା ଏପରିକି ବିଧବା ଭତ୍ତା ଟିକକ ମିଳିପାରି ନଥିବା ଅଭିଯୋଗ ହୋଇଛି । ଏପରି ଭାବରେ ଜିଲ୍ଲାର ଅନେକ ପଞ୍ଚାୟତରେ ସାମାଜିକ ସୁରକ୍ଷା ଯୋଜନା ଠିକରେ କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ସମୟରେ ସମସ୍ୟା ଦେଖାଦେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ