ବୌଦ୍ଧ: ମହିଳାଙ୍କ ମୁହଁରେ ହସ ଫୁଟାଇଲା ହଳଦୀ । ଏଣିକି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇବେ ମହିଳା ଉଦ୍ୟୋଗୀର ପରିଚୟ । ଓଡ଼ିଶାର ପ୍ରଥମ ବ୍ଲକ ଭାବରେ ପ୍ରାଥମିକ ପର୍ଯ୍ୟାୟରେ ଆଠଟି ଗୋଷ୍ଠୀର ସଦସ୍ୟମାନେ ହଳଦୀ ଗୁଣ୍ଡ ପ୍ରସ୍ତୁତ କରି ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇପାରିବେ । ହଳଦୀ ଗୁଣ୍ଡ ପ୍ରସ୍ତୁତ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏଣିକି ମହିଳା ଉଦ୍ୟୋଗୀ ଭାବରେ ପରିଚୟ ପାଇବେ ।
ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଓ ବାଇରସନ ସଂସ୍ଥାର ସହଯୋଗରେ ଓଡ଼ିଶାର ପ୍ରଥମ ବ୍ଲକ ଭାବରେ ବୌଦ୍ଧ ବ୍ଲକରୁ ଏହାର ଶୁଭାରମ୍ଭ ହୋଇଛି । ମହିଳା ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇପାରୁଥିବାରୁ ବେଶ ଆନନ୍ଦ ପ୍ରକାଶ କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳା ଗୋଷ୍ଠୀକୁ ଆର୍ଥିକ ସ୍ତରରେ ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ସଶକ୍ତୀକରଣ କରିବାରେ ସହଯୋଗ କରୁଛନ୍ତି । ବର୍ତ୍ତମାନ ଅବିଭକ୍ତ ବୌଦ୍ଧ କନ୍ଧମାଳ ଜିଲ୍ଲାର ହଳଦୀକୁ ନେଇ ସାରା ରାଜ୍ୟରେ ନିଜର ପରିଚୟ ପାଇଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ । ଓଡ଼ିଶାର ପ୍ରଥମ ବ୍ଲକ ଭାବରେ ବୌଦ୍ଧ ଜିଲ୍ଲା ସଦର ବ୍ଲକରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
କନ୍ଧମାଳର ହଳଦୀ ସାରା ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ବର୍ତ୍ତମାନ ଉକ୍ତ ହଳଦୀର ଗୁଣ୍ଡ ପ୍ରସ୍ତୁତ କରି ମହିଳା ଗୋଷ୍ଠୀର ସଦସ୍ୟ ମହିଳା ଉଦ୍ୟୋଗୀ ଭାବରେ ପରିଚୟ ପାଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ବୌଦ୍ଧ ବ୍ଲକର 8ଟି ମହିଳା ଗୋଷ୍ଠୀକୁ ସବସିଡି ମାଧ୍ୟମରେ ହଳଦୀ ପେସା ଯନ୍ତ୍ର ପ୍ରଦାନ କରାଯାଇ ଏହି ହଳଦୀ ଗୁଣ୍ଡ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟ ସରକାର ଓ ବାଇରସନ ସଂସ୍ଥାର ସହଯୋଗରେ ମହିଳା ଗୋଷ୍ଠୀକୁ ଗୋଟା ହଳଦୀ ଯୋଗାଇବା ତଥା ଏହାକୁ ବିଶୁଦ୍ଧ ଉପାୟରେ ଗୁଣ୍ଡ ପ୍ରସ୍ତୁତି ନିମନ୍ତେ ପ୍ରୋତ୍ସାହିତ କରାଯାଇଛି । ପାରମ୍ପରିକ ପଦ୍ଧତିରୁ ଉତ୍ପନ୍ନ ହଳଦୀରୁ ବିଶୁଦ୍ଧ ହଳଦୀ ଗୁଣ୍ଡ ପ୍ରସ୍ତୁତି ଉପରେ ଗୁରୁତ୍ବାରୋପ କରାଯାଇଛି । ଏନେଇ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମହିଳା ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଥିବା ବିଭିନ୍ନ ଦ୍ବନ୍ଦ ଦୂର ପାଇଁ ବିଭିନ୍ନ ପରାମର୍ଶ ପ୍ରଦାନ କରାଯାଇଥିଲା ।
ମହିଳା ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ସରକାରଙ୍କ ଆକାଂକ୍ଷୀ ଯୋଜନାରେ ଅଂଶଗ୍ରହଣ କରି ଆର୍ଥିକ ସ୍ତରରେ ବେଶ ସ୍ବାବଲମ୍ବୀ ହୋଇଛନ୍ତି । ପର୍ଯ୍ୟାୟ କ୍ରମେ ବୌଦ୍ଧ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଥିବା ମହିଳା ଗୋଷ୍ଠୀକୁ ମଧ୍ୟ ଏହି ହଳଦୀ ଗୁଣ୍ଡ ମିଶନରେ ସାମିଲ କରାଯିବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ