ବୌଦ୍ଧ: ବିଶ୍ବାସ ଓ ଅନ୍ଧବିଶ୍ବାସର ଦୋଛକିରେ ଏକ ନିରୁପାୟ ବାପା । ମଲା ଝିଅକୁ ବଞ୍ଚାଇବା ପାଇଁ ଚାଲିଥିଲା ଢେର ପ୍ରଚେଷ୍ଟା । ଦୀର୍ଘ 24 ଘଣ୍ଟା କାଳ ବିଭିନ୍ନ ସ୍ଥାନ ବୁଲି ନିରାଶ ହେବା ପରେ ଶେଷରେ ମୃତ ଝିଅକୁ ଅନ୍ତେଷ୍ଟିକ୍ରିୟା କରିଛନ୍ତି ଜଣେ ବାପା । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗାଁରେ ।
ଘଟଣାଟି ଥିଲା ଏହିପରି, ଗତ ମଙ୍ଗଳବାର ରଙ୍ଗମାଟିଆ ଗାଁରେ ଲକ୍ଷ୍ମୀପ୍ରିୟା ବେହେରା(11)ଙ୍କୁ ଶୋଇଥିବା ବେଳେ ବିଳମ୍ବିତ ରାତିରେ ହଠାତ୍ ଏକ ବିଷଧର ସାପ କାମୁଡି ଦେଇଥିଲା । ସକାଳୁ ସକାଳୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଲକ୍ଷ୍ମୀପ୍ରିୟାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ଝିଅର ମୃତ୍ୟୁ ସହଜରେ ଗ୍ରହଣ କରି ପାରି ନଥିଲେ ବାପା ।
ଝିଅର ମୃତଦେହକୁ ନେଇ ବିଭିନ୍ନ ମେଡିକାଲ ବୁଲିଥିଲେ । ସେଠାରୁ ନିରାଶ ହେବା ପରେ ଝିଅକୁ ବଞ୍ଚାଇବା ପାଇଁ ଝଡଫୁଙ୍କାର ସାହାରା ନେଇଥିଲେ । ହେଲେ ଝଡାଫୁଙ୍କା ବି ଝିଅକୁ ବଞ୍ଚାଇ ପାରି ନଥିଲା । ସବୁଆଡୁ ନିରାଶ ହେବା ପରେ ଝିଅର ମୃତଦେହକୁ 24 ଘଣ୍ଟା ପରେ ଦାହ କରିଥିଲେ । ଏହି ଘଟଣା ଜିଲ୍ଲାରେ ଏବେ ଆଲୋଡନ ସୃଷ୍ଟି କରିଛି । ଗୋଟେ ପଟେ ଆଧୁନିକତାର ଦ୍ବାହି ଦେଉଛି ମଣିଷ । ତଥାପି ଆଜି ବି ନିଜ ଲୋକ ପାଇଁ ଅନ୍ଧବିଶ୍ବାସ ଆଗରେ ହାର ମାନୁଛି ମଣିଷ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ବୌଦ୍ଧର ଏହି ଘଟଣା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ