ବୌଦ୍ଧ: ଗାଁ ଅଛି, ଗ୍ରାମବାସୀ ଅଛନ୍ତି ହେଲେ ଗାଁକୁ ନାହିଁ ପକ୍କା ରାସ୍ତା । ଏହା କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ ଏ ହେଉଛି ବୌଦ୍ଧ ଜିଲ୍ଲା ପଦ୍ମପୁର ପଞ୍ଚାୟତ ମୁକୁନ୍ଦପୁର ଗାଁର । ସ୍ବାଧୀନତାର 73 ବର୍ଷ ପରେ ବି ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ଏ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ବାଧ୍ୟ ହୋଇ ଆଜି ପଞ୍ଚାୟତ ରାସ୍ତାକୁ ଅବରୋଧ କରିଛନ୍ତି ଗ୍ରାମବାସୀ ।
ଗାଁରେ ପକ୍କା ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ମଧ୍ୟ ଆସି ପାରୁନାହିଁ । ଏହା ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି । ସେହିପରି ଛାତ୍ରଛାତ୍ରୀ ପ୍ରତିଦିନ କାଦୁଅ ରାସ୍ତା ଦେଇ ସ୍କୁଲ ଯାଉଛନ୍ତି । ସେପଟେ ମୌସୁମୀଜନିତ ଲଗାଣ ବର୍ଷା କାରଣରୁ ନର୍ଦ୍ଦମା ପାଣି ଗାଁର ମଝି ରାସ୍ତାରେ ପ୍ରବାହିତ ହେଉଛି । ଗାଁର ଏହି ଦୂରାବସ୍ଥା ଦୂର କରିବାକୁ ଗ୍ରାମବାସୀ ଦୀର୍ଘ ସମୟ ଧରି ପଞ୍ଚାୟତ ରାସ୍ତାକୁ ଅବରୋଧ କରିଥିଲେ । ଅପରପକ୍ଷେ ଘଟଣାକୁ ନେଇ ପଞ୍ଚାୟତ ଅଧିକାରୀ କିମ୍ବା ବିଡିଓଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ