ବୌଦ୍ଧ: ଜିଲ୍ଲାର ମୂଳ ଅଧିବାସୀ ତଥା ଭୂମିହୀନ ପ୍ରଜାଙ୍କୁ ଦୀର୍ଘ ୪୦ ବର୍ଷ ହେଲାଣି ମିଳୁନି ପଟ୍ଟା । ପିଢ଼ି ପରେ ପିଢ଼ି ବସବାସ କରିଆସୁଥିବା ହିତାଧିକାରୀଙ୍କ ନିକଟରେ ଜମିପଟ୍ଟା ନଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଲାଙ୍କ ପାଠପଢାଠାରୁ ନେଇ ସ୍ଥାୟୀ ବାସିନ୍ଦା ଭାବରେ ଆଜି ପର୍ଯ୍ୟନ୍ତ ଯୋଗ୍ୟତା ପାଇପାରି ନାହାନ୍ତି । ବୌଦ୍ଧ ବ୍ଲକର ପ୍ରାୟ ୩୦ଟି ପରିବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ଏହାର ସମାଧାନ ଲାଗି ବୌଦ୍ଧ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଗତ କିଛି ବର୍ଷ ତଳେ ଜିଲ୍ଲାରେ ପାଦ ଦେଇଥିବା ରାଜ୍ୟ ବାହାରର ପ୍ରଜାଙ୍କୁ ଜାଗାବାଡି ସରକାରଙ୍କ ପକ୍ଷରୁ ଯୋଗାଇ ଥଇଥାନ କରାଯାଉଥିବା ବେଳେ ପିଢ଼ି ପରେ ପିଢ଼ି ବସବାସ କରିଆସୁଥିବା ହିତାଧିକାରୀଙ୍କ ନିଜ ପୈତୃକ ଜମିବାଡ଼ି ବନ୍ୟା ଦ୍ବାରା କ୍ଷତିଗ୍ରସ୍ତ ହେବା ପରେ ସେମାନେ ଜମିଭୂମି ହୀନ ହୋଇଗଲେ । ଜମିଡିହ ପଟ୍ଟା ନଥିବାରୁ ସେଭଳି ଜମିଭୂମି ହୀନ ପ୍ରଜା ଆଜି ଜିଲ୍ଲାପାଳଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଜିଲ୍ଲାର ଅନେକ ଅଧିବାସୀଙ୍କ ନିକଟରେ ନିଜର ବୋଲି ଜମିଭୂମି ନାହିଁ । ଫଳରେ ବର୍ଷ ବର୍ଷ ଧରି ଏମାନେ ଅବହେଳିତ ହେଉଛନ୍ତି ।
ଏହା ବି ପଢନ୍ତୁ- ସମସ୍ୟା ଘେରରେ ରେଙ୍ଗାଲି ବିସ୍ଥାପିତ, 40 ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା
ଜିଲ୍ଲାର ବହିରା ପଞ୍ଚାୟତ ସଦର କୁମ୍ଭାରସାହିରେ ପ୍ରାୟ ୩୫ଟି ପରିବାର ଦୀର୍ଘ ବର୍ଷ ହେଲା ନିଜସ୍ଵ ଉଦ୍ୟମରେ ଘରଦ୍ବାର କରି ରହିଆସିଛନ୍ତି । କିନ୍ତୁ ସେମାନଙ୍କ ନିକଟରେ କୌଣସି ସ୍ଥାୟୀ ଜମିପଟ୍ଟା ନଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ପ୍ରକୃତ ଘଟଣା କିଛି ଭିନ୍ନ ପ୍ରକାରର । ସୂଚନା ମୁତାବକ ବହିରା ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳି ପାଲି ଗ୍ରାମର ମୂଳ ବାସିନ୍ଦାମାନେ ଗତ ପ୍ରାୟ ୪୦ ବର୍ଷ ତଳେ ଅର୍ଥାତ ୧୯୮୨ ମସିହାର ପ୍ରଳୟଙ୍କରୀ ବନ୍ୟାରେ ସେମାନଙ୍କ ସବୁକିଛି ହରାଇ ଜମିଭୂମି ହୀନ ହୋଇଗଲେ ।
ଏହା ବି ପଢନ୍ତୁ- ଶହ ଶହ ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା, ଉଚ୍ଚଶିକ୍ଷାରୁ ବଞ୍ଚିତ ଆଦିବାସୀ ଛାତ୍ରଛାତ୍ରୀ
ବୌଦ୍ଧ ଫୁଲବାଣୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ୩୫ଟି ପରିବାରକୁ ବହିରା ନିକଟରେ ଏକ ଉଚ୍ଚ ସ୍ଥାନରେ ଥିବା ଏକ ଗୋଚର ଜମିରେ ଥଇଥାନ କରିଥିଲେ । କିନ୍ତୁ ଏମାନଙ୍କ ନିକଟରେ ନିଜର ବୋଲି ଜମିଭୂମି ପଟ୍ଟା ନଥିବାରୁ ସେମାନେ ସ୍ଥାୟୀ ବାସିନ୍ଦା ହୋଇ ମଧ୍ୟ ସରକାରଙ୍କ କୌଣସି ବିକାଶ ମୂଳକ ଯୋଜନାରେ ସାମିଲ ହୋଇ ପାରୁନାହାନ୍ତି । ଏନେଇ ହିତାଧିକାରୀମାନେ ବାରମ୍ବାର ବିଭିନ୍ନ ସ୍ଥାନରେ ଗୁହାରି ମଧ୍ୟ କରିଆସୁଥିଲେ । ଶେଷରେ ଏହି ୩୫ଟି ପରିବାର ସମ୍ପର୍କରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଅବଗତ ହେବାପରେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଆଜି ଦାବି ଜଣାଇଥିଲେ । ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ମଧ୍ୟ ଏଭଳି ଅବହେଳିତ ଅବସ୍ଥାରେ ରହିଯାଇଥିବା ପରିବାରଗୁଡ଼ିକୁ କିଭଳି ଜମିପଟ୍ଟା ଯୋଗାଇ ଦିଆଯିବ ସେନେଇ ବୌଦ୍ଧ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ