ବୌଦ୍ଧ: ଆନନ୍ଦ ଉଲ୍ଲାସର ସହିତ ସମାପନ ହେଲା ଜିଲ୍ଲାର ଐତିହାସିକ ଗଣପର୍ବ ଶ୍ରୀ ରାମଲୀଳା ଯାତ୍ରା । ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ରାମ ରାବଣ ମହାସମର ବୁଧବାର ସକାଳେ ଲଙ୍କାପତି ରାବଣର ବଧ ସହିତ ସମାପନ ହୋଇଥିଲା ।
ବୌଦ୍ଧ ଜିଲ୍ଲାର ଗଣପର୍ବ ଶ୍ରୀ ରାମଲୀଳା ଯାତ୍ରା ଶତାଧିକ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବାବେଳେ ମୁକ୍ତାକାଶ ରଙ୍ଗମଞ୍ଚର ଏହି ଲୀଳା ନାଟକ କେବଳ ରାଜ୍ୟ ନୁହେଁ ସାରା ଦେଶରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛି । ମଙ୍ଗଳବାର ରାତି ତମାମ ବୌଦ୍ଧ ସହର ଦଶଟି ରାବଣ ଓ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ବାନର ସେନା ସହିତ ବିରାଟ ରଣକ୍ଷେତ୍ରରେ ପରିଣତ ହୋଇଥିଲା ।
ପ୍ରଥମ ସମର କଚେରୀ ପଡିଆ, ଦ୍ବିତୀୟ ସମର ଷ୍ଟାଡିୟମ ପଡିଆ ଓ ତୃତୀୟ ତଥା ଶେଷ ମହାଯୁଦ୍ଧ ଶ୍ରୀ ରାମଲୀଳା ମଇଦାନରେ ଅନୁଷ୍ଠିତ ହୋଇଥିଲା । ଗର୍ବର ଲଙ୍କା ଦହନ ସହିତ ମହାପରାକ୍ରମୀ ରାବଣର ମୃତ୍ୟୁ ସହିତ ଚଳିତ ବର୍ଷର ରାମଲୀଳା ଯାତ୍ରା ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ଦର୍ଶକ ତଥା ପର୍ଯ୍ୟଟକ ଗହଣରେ ସମାପନ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ