ବୌଦ୍ଧ: ଠିକାସଂସ୍ଥାର ମନମୁଖି କାର୍ଯ୍ୟକୁ ନେଇ ବୌଦ୍ଧ ଜିଲ୍ଲାରେ ଜନ ଅସନ୍ତୋଷ । ସାଧାରଣ ଲୋକଙ୍କ ଜମି, ପଡିଆ ଏପରିକି ଯାତାୟାତ ପାଇଁ ଥିବା ଶକ୍ତ ରାସ୍ତାଗୁଡିକୁ ପାଇପ ବିଛା ପାଇଁ ମେସିନ ସାହାଯ୍ୟରେ ଖୋଳି ଅଧପନ୍ତରିଆ ଛାଡି ଦେଉଥିବା ଅଭିଯୋଗ ହୋଇଛି । ଠିକାସଂସ୍ଥାର ମନମୁଖି କାର୍ଯ୍ୟ ବିରୁଦ୍ଧରେ ଶେଷରେ ସାଧାରଣ ଲୋକ ଉତ୍ୟକ୍ତ ହୋଇ ଠିକାସଂସ୍ଥାର କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ଲୋକାପଡା ଓ ବୌଦ୍ଧ ବ୍ଲକର ଚନ୍ଦ୍ରପୁର ନିକଟରେ ପାନୀୟଜଳ ଯୋଗାଣ ପାଇଁ ମେଗା ଲିପ୍ଟ ପଏଣ୍ଟ କାର୍ଯ୍ୟ ଏଲ ଏଣ୍ଡ ଟି କମ୍ପାନୀ ଠିକାରେ ହାତକୁ ନେଇଛି ।
ତେବେ ଦୀର୍ଘ ସମୟ ହେଲା ଠିକାସଂସ୍ଥା ପାଇପ ବିଛାଇବା ପାଇଁ ଲୋକଙ୍କ ଜମିବାଡ଼ି, ପଡିଆ,ସର୍ବସାଧାରଣ ସ୍ଥାନ ଏପରିକି ଗାଁ ଗଣ୍ଡାର କଙ୍କ୍ରିଟ ରାସ୍ତାକୁ ବିନା ଆଲୋଚନା କିମ୍ବା ଅନୁମତିରେ ଖୋଳିବା ନେଇ ଅସନ୍ତୋଷ ଲାଗି ରହିଥିଲା । କିନ୍ତୁ ମଙ୍ଗଳବାର ପଲସାଗୋରା ପଞ୍ଚାୟତ ତଳିସାହିର ଏକ ମଜଭୁତ କଙ୍କ୍ରିଟ ରାସ୍ତାକୁ କମ୍ପାନୀ କର୍ମଚାରୀ ଖୋଳିବା ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସମ୍ପୃକ୍ତ କର୍ମଚାରୀଙ୍କୁ ଅଞ୍ଚଳବାସୀ ଘେରି ଦୀର୍ଘ ସମୟ ଧରି ଅଟକ ରଖିଥିଲେ ।
ଶେଷରେ କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି କ୍ଷମା ପ୍ରାର୍ଥନା ସହ ତୁରନ୍ତ ମରାମତିର ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ