ବୌଦ୍ଧ: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳିପାରୁ ନାହିଁ ପ୍ରମାଣପତ୍ର ଓ ଭତ୍ତା । ଜିଲ୍ଲାରେ ସାମାଜିକ ସୁରକ୍ଷା ପାଇଁ ସରକାର ଅନେକ ଯୋଜନା କରିଥିଲେ ମଧ୍ୟ ତାହା ଠିକରେ ପ୍ରତିଫଳିତ ହୋଇ ପାରୁନାହିଁ । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ଥର ବୈଠକ କରାଯାଇ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରାଯାଉଛି । ଏହା କେତେ ଦୂର ଫଳପ୍ରଦ ହେଉଛି ତାହା ଜାଣିବାକୁ ଇଟିଭି ଭାରତ ଜିଲ୍ଲାର ଏକମାତ୍ର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟରେ ପହଞ୍ଚିଥିଲା ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନାରାୟଣପୁର ଠାରେ ରହିଛି ଜିଲ୍ଲାର ଏକମାତ୍ର ଦୃଷ୍ଟି ଓ ବଧିର ବିଦ୍ୟାଳୟ । ଆଶ୍ବସ୍ରୋ ଅନୁଷ୍ଠାନ ଦ୍ବାରା ପରିଚାଳିତ ଏହି ବିଦ୍ୟାଳୟରେ ସମୁଦାୟ ୭୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ବର୍ତ୍ତମାନ ଏଠାରେ ମାତ୍ର 52 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଧ୍ୟୟନରତ ।
ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକଙ୍କର ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳି ପାରୁନାହିଁ । ଅନ୍ୟ କେତେକ ଛାତ୍ରଛାତ୍ରୀଙ୍କ ପାଖରେ ସାର୍ଟିଫିକେଟ ଥାଇ ମଧ୍ୟ ସରକାରୀ ଭତ୍ତା ମିଳି ପାରୁନାହିଁ । ଏସମ୍ପର୍କରେ ବିଦ୍ୟାଳୟ ପକ୍ଷରୁ ବହୁବାର ସାମାଜିକ ସୁରକ୍ଷା ବିଭାଗକୁ ଜଣାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ଏନେଇ ଦାୟିତ୍ବରେ ଥିବା ଅଧିକାରୀ ଲକ୍ଷପତି ଭୋଇଙ୍କୁ ଯୋଗାଯୋଗ କରିବାରୁ ସେ ସମସ୍ୟା କୁ ସ୍ବୀକାର କରିବା ସହ ତୁରନ୍ତ ଏହାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ