ବୌଦ୍ଧ: ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବୌଦ୍ଧ ଜିଲ୍ଲା ସାରା ରାଜ୍ୟର ଉତ୍ତପ୍ତ ଜିଲ୍ଲା ଭାବରେ ପରିଗଣିତ ହୋଇଥିବା ବେଳେ ଲଗାତାର ଗତ କିଛି ଦିନ ହେଲା ପାରଦ ଖସିବାର ନାଁ ଧରୁନି ।
ଦିନ ଦଶଟା ବେଳକୁ ଜିଲ୍ଲାର ବିଭିନ୍ନ ରାସ୍ତା ଅଘୋଷିତ କର୍ଫ୍ୟୁ ଭଳି ଶୂନସାନ ହୋଇଯାଉଛି । ଏଭଳି ଗ୍ରୀଷ୍ମପ୍ରବାହରେ ମଣିଷ ତ ମଣିଷ ପଶୁପକ୍ଷୀ ମାନେ ମଧ୍ୟ ଗଭୀର ପ୍ରଭାବିତ ହେଉଛନ୍ତି । ବୃଦ୍ଧି ପାଉଥିବା ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯିବା ସହିତ ଲୋକଙ୍କୁ ଟାଣ ଖରାରେ ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।
ତେବେ ଅନେକ ସ୍ଥାନରେ ନିକଟବର୍ତ୍ତି ଜଙ୍ଗଲରେ ନିଆଁ ଲାଗିଥିବାରୁ ଉତ୍ତାପ ଅଧିକ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସଙ୍କଟ ପରିଲକ୍ଷିତ ହୋଇଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇଥିବା ବେଳେ ଅନେକ ସ୍ଥାନରେ ଲୋକଙ୍କୁ ଲେମ୍ବୁ ସରବତ, ଦହି ସରବତ, ଆଖୁ ସରବତ ଦୋକାନରେ ଦେଖିବାକୁ ମିଳୁଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ