ବୌଦ୍ଧ: ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହେତୁ ସରକାରଙ୍କ ବିକାଶ ଗାଡି ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ 4ଟି ପଞ୍ଚାୟତର 20ରୁ ଊର୍ଦ୍ଧ୍ବ ଗ୍ରାମବାସୀ ପାହାଡି ଝରଣା ଯୋଗୁଁ ବିଛିନ୍ନାଞ୍ଚଳବାସୀଙ୍କ ଭଳି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାର ଦୁର୍ଗମ ତଥା ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ସରକାରୀ ଯୋଜନା ଅପହଞ୍ଚ ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଆବାସ ଓ ସାମାଜିକ ସୁରକ୍ଷା ଭଳି ସରକାରଙ୍କ କଲ୍ୟାଣକାରୀ ଯୋଜନା ଏଭଳି ଦୁର୍ଗମ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଅପହଞ୍ଚ ହୋଇରହିଛି ।
ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ 4ଗୋଟି ପଞ୍ଚାୟତର 20ରୁ ଉର୍ଦ୍ଧ୍ବ ଗ୍ରାମବାସୀ ପାହାଡି ଝରଣା ଯୋଗୁଁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଭଳି ଜୀବନ ବିତାଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର 3ଟି ବ୍ଲକରେ ଏଭଳି ଶତାଧିକ ଦୁର୍ଗମ ଗ୍ରାମ ରହିଛି ଯେଉଁଠି ଯୋଗାଯୋଗର ସମସ୍ୟା ହେତୁ ସେଠାରେ ସରକାରଙ୍କ ବିକାଶ ମୂଳକ ଯୋଜନା ଠିକରେ ପହଞ୍ଚି ପାରୁନାହିଁ । ଟିକରପଡା, ଗୁନ୍ଦୁଳିଆ, ଆମ୍ବଝରୀ ଓ ଶଗଡା ଏଭଳି 4ଗୋଟି ପଞ୍ଚାୟତର 20ରୁ ଊର୍ଦ୍ଧ୍ବ ଗ୍ରାମକୁ ପାହାଡି ଝରଣା ବର୍ଷ ତମାମ ବିଚ୍ଛିନ୍ନ କରି ରଖିଥାଏ । ସୁବର୍ଣ୍ଣଗିରି ପାର୍ବତ୍ୟାଞ୍ଚଳର ଆଭ୍ୟନ୍ତରୀଣ ଘାଟିତଳ ମୁଠାରେ ବସବାସ କରୁଥିବା ଏସବୁ ଅଞ୍ଚଳର ଅଧିକାରୀ ପ୍ରାୟତଃ ଆଦିବାସୀ ସଂପ୍ରଦାୟର । କାଳ କାଳ ଧରି ଏମାନେ ବଣ ଜଙ୍ଗଲ ଉପରେ ନିର୍ଭର କରି ଚଳି ଆସୁଛନ୍ତି । ତେବେ ଏସବୁ ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ସମସ୍ୟା ପାଇଁ ବିକାଶ ଆଜି ପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଛି ।
ଦମଣ୍ଡା, ଲକଡପାଜୁ, ସାଲଦରଙ୍ଗା, ଆମ୍ବଝରୀ ପଞ୍ଚାୟତର କାମାରକୋଡା, ଡଙ୍କେଣୀ,ମାତାଗାଡୁ, ଜିଲେଜୁ, ପଡମ, ଗୁନ୍ଦୁଳିଆ ପଞ୍ଚାୟତର କୁଳୁତାସାହି, କାମପଦର, ତେଣ୍ଡାପଦର, ଖଜୁରୀଚୁଆଁ, ଉଡାମୂଳ ଓ ଶଗଡା ପଞ୍ଚାୟତର ନଳିକୁପା, ଚାଞ୍ଚେର, ଗୁନ୍ଦୁଳିଆଜୁର, ବାତେପଙ୍ଗା, ବାଡେପଙ୍ଗା ଓ ମୀନକାସାହି ଭଳି ଅନେକ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ ହୋଇଛି । ଫଳରେ ଉକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଠିକରେ ପହଞ୍ଚି ପାରିନାହିଁ । ଅଞ୍ଚଳବାସୀ ବାଧ୍ୟ ହୋଇ ଗୁଣିଗାରେଡି, ତନ୍ତ୍ର ମନ୍ତ୍ର ଆପଣାଉଛନ୍ତି । ଏହାଛଡା ଏସବୁ ଅଞ୍ଚଳର ଅଧିବାସୀଙ୍କ ପାଇଁ ଯାତାୟତ ଏକ ବଡ ସମସ୍ୟା ହୋଇ ଥିବାରୁ ସେଠାରେ ଆବାସ, ରାସନ ଓ ସାମାଜିକ ସୁରକ୍ଷା ଯୋଜନା ମଧ୍ୟ ଅପହଞ୍ଚ ହୋଇ ରହିଛି ।
ବିଶେଷ କରି ଆମ୍ବଝରୀ ଓ ଗୁନ୍ଦୁଳିଆ ପଞ୍ଚାୟତର ଏଭଳି ଦୁର୍ଗମ ଅଞ୍ଚଳବାସୀ 15କିମିରୁ ଊର୍ଦ୍ଧ୍ବ ବଣ ଜଙ୍ଗଲ ଅତିକ୍ରମ କରି ରାସନ ଓ ଭତ୍ତା ନେବାପାଇଁ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ରାସ୍ତା ଘାଟ ଅଭାବରୁ ଅନେକ ସମୟରେ ଜନନୀ ଯନ୍ତ୍ରଣା ଓ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଦେଶ ସ୍ବାଧୀନତାର 75 ବର୍ଷ ପାଳନ କରୁଥିବା ବେଳେ ଏସବୁ ଅଞ୍ଚଳର ଅଧିବାସୀ ଆଜି ମଧ୍ୟ ମଧ୍ୟ ବିକାଶ ହୋଇ ପାରିନାହିଁ । ଏସବୁ ଦୁର୍ଗମ ଅଞ୍ଚଳର ଉପରେ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।
ଇଟିଭି ଭାରତ, ବୌଦ୍ଧ