ବୌଦ୍ଧ: ମହୁଲ ଏକ ଅର୍ଥକାରୀ ଫଳ । ପ୍ରାୟତଃ ବଣପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଲୋକେ ମହୁଲ ବିକ୍ରି କରି ରୋଜଗାର କରନ୍ତି । ଏଥିରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ମଧ୍ୟ ତିଆରି ହୋଇଥାଏ । ହେଲେ ଆପଣ ଜାଣିଛନ୍ତି କି ମହୁଲ ଫଳରୁ ତେଲ ମଧ୍ୟ ପ୍ରସ୍ତୁତ ହୋଇଥାଏ । ମହୁଲ ଫଳରୁ ତିଆରି ହେଉଛି ସ୍ବାସ୍ଥ୍ୟକର ଗରା ତେଲ । ଯାହା ନାମୀଦାମୀ ବ୍ରାଣ୍ଡ ତେଲଠାରୁ କୌଣସି ଗୁଣରେ କମ ନୁହେଁ । ଅଳ୍ପ ଖର୍ଚ୍ଚରେ ଓ ପାରମ୍ପରିକ ପଦ୍ଧତିରେ ମହୁଲ ଫଳରୁ ତେଲ ବାହାର କରି ଲୋକେ ଲାଭବାନ ହେଉଛନ୍ତି ଲୋକେ ।
ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହୁଲ ଫଳର ସ୍ବତନ୍ତ୍ର ଚାହିଦା ରହିଛି । ସାଧାରଣତଃ ଫଗୁଣ ଆସିଲା ପରେ ମହୁଲ ଫୁଲରେ ଭରିଯାଏ ଜଙ୍ଗଲ । ଯାହା ସେଠାକାର ଲୋକଙ୍କୁ ରୋଜଗାରର ବାଟ ଦେଖାଇଥାଏ । ଖରା ଦିନ ପରେପରେ ମହୁଲ ଫଳ ଟୋଲରୁ ତେଲି ସମ୍ପ୍ରଦାୟର ଲୋକେ ଗରା ତେଲ ପ୍ରସ୍ତୁତ କରିଥାନ୍ତି । ଏହି ତେଲ ସ୍ବାସ୍ଥ୍ୟ ପାଇଁ ଯେତିକି ହିତକର, ପ୍ରସ୍ତୁତି ପ୍ରଣାଳି ମଧ୍ୟ ସେତିକି ନିଆରା । ମହୁଲ ଫୁଲ ହେବାପରେ ଗଛରେ ଫଳ ଧରିଥାଏ । ଏହି ଟୋଲରୁ ହିଁ ପ୍ରସ୍ତୁତ ହୋଇଥାଏ ଗରା ତେଲ । ତେଲ ପ୍ରସ୍ତୁତ ପାଇଁ ମହୁଲ ଟୋଲ ଫଳକୁ କିଛି ଦିନ ଖରାରେ ଶୁଖାଇ ଦିଆଯାଏ । ଶୁଖିଯିବା ପରେ ଏଗୁଡ଼ିକ ଶୁଖିଲା ପଣସ ମଞ୍ଜି ଭଳି ଦେଖାଯାଏ । ଶୁଖିଲା ଟୋଲକୁ ପ୍ରଥମେ ଚୂନା ଭଳି ଗୁଣ୍ଡ କରାଯାଏ । ପୂର୍ବରୁ ଢିଙ୍କିର ସହାୟତାରେ ଚୂନା ପ୍ରସ୍ତୁତ କରାଯାଉଥିବା ବେଳେ ବର୍ତ୍ତମାନ ଏହାକୁ ମେସିନ୍ ଦ୍ବାରା କରାଯାଉଛି । ଟୋଲରୁ ପ୍ରସ୍ତୁତ ଚୂନାକୁ ପାରମ୍ପରିକ ପଦ୍ଧତିରେ କାଠ ଘଣାରେ ପେଡ଼ା ଯାଇଥାଏ । ତେବେ ଆଜି ବି ଲୋକେ ଗାଈ ବଳଦ ସହାୟତାରେ ତେଲ ପ୍ରସ୍ତୁତ କରୁଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ମାଲାମାଲ ହେଉଛନ୍ତି ଦଲାଲ, ଶୋଷଣର ଶିକାର ମହୁଲ ଗୋଟାଳି
ଏନେଇ ଖାଦ୍ୟ ଗବେଶକ କହିଛନ୍ତି, "ବର୍ତ୍ତମାନ ବଜାରକୁ ବିଭିନ୍ନ ପ୍ରକାରର ତେଲ ଆସିଛି । ମାତ୍ର ପୂର୍ବରୁ ଲୋକେ ପାରମ୍ପରିକ ପଦ୍ଧତିରେ ମହୁଲ ଫଳରୁ ତେଲ ପ୍ରସ୍ତୁତ କରି ବ୍ୟବହାର କରୁଥିଲେ । ଯେଉଁଥିରେ କି ଖାଦ୍ୟ ଉପଯୋଗୀ ହେବା ସହ ସ୍ବାସ୍ଥ୍ୟକର ମଧ୍ୟ । ତେଣୁ ପ୍ରଶାସନ ମଧ୍ୟ ଲୋକଙ୍କୁ ଏଦିଗରେ ସହାୟତା ଯୋଗାଇଦେଲେ କୌଳିକ ବୃତ୍ତି ବଞ୍ଚି ରହିବା ସହ ଲୋକେ ରୋଜଗାର ପାଇପାରିବେ ।" ତେଲି ସମ୍ପ୍ରଦାୟର ଲୋକେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ପାରମ୍ପରିକ ବୃତ୍ତି ସହିତ ବର୍ଷ ବର୍ଷ ଧରି ଜଡ଼ିତ ରହିଛନ୍ତି । ବର୍ତ୍ତମାନ ବଜାରରେ ଉପଲବ୍ଧ ନାମୀଦାମୀ କମ୍ପାନୀର ତେଲ ଓ ଦରକୁ ଦେଖିଲେ ଏହି ଗରା ତେଲ ଅତି କମ୍ ଦରରେ ବ୍ୟବହାର ଉପଯୋଗୀ ହୋଇ ପାରୁଛି । ଏହାର ଚାହିଦା ଜିଲ୍ଲାର ଗାଁ ଗହଳିରେ ବେଶ ରହିଥିବା ବେଳେ ଗରା ତେଲ ବ୍ୟବସାୟ କରି ଅନେକ ପରିବାର ଭଲ ପଇସା ରୋଜଗାର କରି ଆର୍ଥିକ ସ୍ବାବଲମ୍ବୀ ହୋଇ ପାରୁଛନ୍ତି ।
ଇଟିଭି ଭାରତ, ବୌଦ୍ଧ