ବୌଦ୍ଧ: ଚାଷୀଙ୍କୁ ଧୋକା ଦେଲା ପିଆଜ । ଭଲ ଅମଳ ହେବା ଜାଗାରେ ଫଳ ହେଲା ସବୁ ଓଲଟା । ବୌଦ୍ଧ ଜିଲ୍ଲାରେ ପିଆଜ ଚାଷ କରି ଭଲ ଦିପଇସା ରୋଜଗାର କରିବାକୁ ଆଶା ରଖିଥିବା ଚାଷୀ ହତାଶ ହୋଇଛନ୍ତି । ଅଭାବୀ ବିକ୍ରି ଓ ଚାଷକୁ ନେଇ କ୍ଷତି ସହିଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ପିଆଜ ଚାଷୀ । ଏନେଇ ଚାଷୀ ହତାଶ ହୋଇପଡି ଥିବାବେଳେ ସିଧାସଳଖ ସଂପୃକ୍ତ ବିଭାଗକୁ ଚାଷୀମାନେ ଦାୟୀ କରିଛନ୍ତି ।
ପିଆଜ ଚାଷ ପାଇଁ ବୌଦ୍ଧ ଜିଲ୍ଲାର ମାଟି ଓ ପାଣିପବନ ସବୁଠୁ ସର୍ବୋତ୍କୃଷ୍ଟ ସ୍ଥାନ । ଏଥିପାଇଁ ବୌଦ୍ଧ ପାଲଝାର ଠାରେ ଖୋଲାଯାଇଛି ପିଆଜ ଗବେଷଣା କେନ୍ଦ୍ର । ନାସିକ ପରେ ବୌଦ୍ଧ ହେଉଛି ଭାରତର ଦ୍ବିତୀୟ ସ୍ଥାନ ଯେଉଁଠି ପିଆଜ ଗବେଷଣା କରାଯାଉଛି ।
ଏଠାକାର ପାଣିପାଗ ପିଆଜ ଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ଅନ୍ୟଚାଷ ନ କରି ପିଆଜ ଚାଷ କରିବା ପାଇଁ ପ୍ରବର୍ତ୍ତା ଯାଇଥିଲା । ପ୍ରାୟ ତିନୋଟି ବ୍ଲକର ଶତାଧିକ ଚାଷୀ ପିଆଜ ଚାଷ ମଧ୍ୟ କରିଥିଲେ । କିନ୍ତୁ ଅମଳ ବେଳକୁ ଲଗାଇଥିବା ବିହନ ପରିମାଣର ପିଆଜ ମଧ୍ୟ ଅମଳ ହୋଇପାରିଲା ନାହିଁ ।
ସେପଟେ ଉଦ୍ୟାନ ଅଧିକାରୀ ବିଳମ୍ବରେ ପିଆଜ ଚାଷ ଯୋଗୁଁ ଏଭଳି ପରିସ୍ଥିତି ହେଲା ବୋଲି କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏତେସବୁ ବ୍ୟବସ୍ଥା ମଧ୍ୟରେ ବି କିଭଳି ଗବେଷକମାନେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଜାଣିପାରିଲେ ନାହିଁ, ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ