ବୌଦ୍ଧ: ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବନ୍ଧାପଥର ଗ୍ରାମରେ ।
ସୂଚନା ଅନୁଯାୟୀ, ରବିବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ସହ ପ୍ରବଳ ବଜ୍ରପାତ ହୋଇଥିଲା । ଏହି ସମୟରେ ନୀଳଲୋହିତ ଓ ଦେବାନନ୍ଦ ଉଭୟେ ଘାସ ବାଛିବା ପାଇଁ ଜମିକୁ ଯାଇଥିଲା ବେଳେ ବର୍ଷା ଓ ବିଜୁଳି ଯୋଗୁଁ ଏକ ଗଛତଳେ ଆଶ୍ରୟ ନେଇଥିଲେ ।
ସେଠାରେ ହଠାତ ବଜ୍ରପାତ ହେବାରୁ ବନ୍ଧାପଥର ଗ୍ରାମର ନୀଳଲୋହିତ ଗୁରୁତର ଭାବେ ପୋଡିଯାଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି କନକପୁର ଗ୍ରାମର ଲଳିତ ତରିଆ ବଜ୍ରପାତରେ ଆଘାତ ହୋଇ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଥିବା ବେଳେ ବାଉଁଶୁଣୀ ଅଞ୍ଚଳରେ ଦୁଇ ଜଣ ବ୍ୟକ୍ତି ବଜ୍ରପାତରେ ଆହତ ହୋଇଥିବା ଜଣାପଡିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ