ବୌଦ୍ଧ: ସ୍ବାଧୀନତା ଦିବସରେ ଆରମ୍ଭ ହେଲା ନିର୍ମଳ ଯୋଜନା । ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏହି ଯୋଜନା ଆରମ୍ଭ ହେବା ପରେ ଏହା ଆଗାମୀ ଦିନରେ କେତେ ଦୂର ସଫଳ ହେବ ତାକୁ ନେଇ ସନ୍ଦେହରେ ବୌଦ୍ଧବାସୀ ।
ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅବ୍ୟବସ୍ଥା ଏକ ନିତି ଦିନିଆ ଘଟଣା ହୋଇ ଯାଇଛି । ବିଶେଷ କରି ଏହାର ପରିମଳ ବ୍ୟବସ୍ଥା ଏକଦମ ବେହାଲ ହୋଇପଡିଥିଲା । ସ୍ବାଧୀନତା ଦିବସରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏଠାରେ ନିର୍ମଳ ଯୋଜନାର ଶୁଭାରମ୍ଭ କରିଛନ୍ତି । ଡାକ୍ତରଖାନାର ପରିବେଶ ଓ ପରିମଳ ବ୍ୟବସ୍ଥାକୁ ସଜାଡିବା ପାଇଁ ଏହା ସରକାରଙ୍କ ଆଉ ଏକ ପଦକ୍ଷେପ । ନୂତନ ଭାବେ ବିଭିନ୍ନ ଯନ୍ତ୍ରପାତି ଏଥିରେ ବ୍ୟବହୃତ ହେବା ସହ ବେଡରେ ପ୍ରତ୍ୟେକ ଦିନ ସିଟ ପରିବର୍ତ୍ତନ କରାଯିବ ।
କିନ୍ତୁ ଏ ସବୁର କାର୍ଯ୍ୟକାରିତା କେତେ ଦୂର ସଫଳ ହେବ ସେନେଇ ସନ୍ଦେହ କରିଛନ୍ତି ସ୍ଥାନୀୟ ଜନସାଧାରଣ । ଡାକ୍ତରଖାନାରେ ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଥିବା ବେଳେ ପରିମଳ ବ୍ୟବସ୍ଥା କେତେ ଦୂର ସଜାଡି ହୋଇ ପାରୁଛି, ତାହା ପରବର୍ତ୍ତୀ ସମୟ କହିବ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ