ବୌଦ୍ଧ: ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ତିନୋଟି ବ୍ଲକର ଶତାଧିକ ମାଛଚାଷୀଙ୍କୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାଛର ବଜାର ସୃଷ୍ଟି ଉଦ୍ଦେଶ୍ୟରେ ବୌଦ୍ଧର ଆଦର୍ଶ କୃଷି ବଜାର ପରିସରରେ ଏକ ସ୍ବତନ୍ତ୍ର ମଡେଲ ହାଇଜିନିକ ମାଛ ବଜାର ନିମନ୍ତେ ଆଲୋଚନା କରାଯାଇଛି ।
ତେବେ ବୌଦ୍ଧ ଜିଲ୍ଲାରେ ମାଛ ଚାଷର ରହିଛି ସମ୍ଭାବନା । କାତି ଜାତୀୟ ମାଛ ସାରା ଓଡିଶାରେ ବେଶ ପ୍ରସିଦ୍ଧି ଲାଭ କରିପାରିଛି । ଜିଲ୍ଲାର ଶହଶହ ମାଛଚାଷୀ ପୋଖରୀ ଓ ବାୟୋଫ୍ଲେକ୍ସ ମାଧ୍ୟମରେ ଉନ୍ନତ ମାନର ମାଛଚାଷ କରି ତଥା ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ନେଇ ଆର୍ଥିକ ସ୍ତରରେ ବେଶ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ଗତକାଲି ଜାତୀୟ ମତ୍ସଚାଷୀ ଦିବସ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବୌଦ୍ଧ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଚାଷୀଙ୍କୁ ମାଛ ଯାଆଁଳା ଯୋଗାଇ ଦେବାଠାରୁ ନେଇ ମାଛକୁ ବଜାରରେ ବିକ୍ରି ପର୍ଯ୍ୟନ୍ତ ସହାୟତା ଯୋଗାଇ ଆସୁଛନ୍ତି । ଜିଲ୍ଲାର କାତି ଜାତୀୟ ମାଛ ସାରା ଓଡିଶାରେ ବେଶ ଆଦୃତ । ରୋହୀ, ମିରକାଳୀ, ଜଳଙ୍ଗ, କାର୍ଫିଲିସ ଭଳି ଦେଶୀୟ ମାଛର ଖୁବ ଚାହିଦା ରହିଛି । ତେଣୁ ଆଦର୍ଶ କୃଷି ବଜାର ପରିସରରେ ଏକ ସ୍ବତନ୍ତ୍ର ମଡେଲ ହାଇଜିନିକ ମାଛ ବଜାରର ପରିକଳ୍ପନା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- ମାଛ ଚାଷ ଦେଲା ନୂଆ ପରିଚୟ, ଲୋକଙ୍କ ମୁହଁରେ ଫୁଟାଇଲେ ହସ
ଏହି ଉନ୍ନତମାନର ମାଛଚାଷ ଦ୍ବାରା ଅନେକ ଶିକ୍ଷିତ ଯୁବ ଗୋଷ୍ଠୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆକର୍ଷିତ ହେବା ସହ ଏହି ଚାଷ ସହ ଜଡ଼ିତ ହୋଇ ଆର୍ଥିକ ସ୍ତରରେ ବେଶ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ହରଭଙ୍ଗା ବ୍ଲକର ଜଣେ ଶିକ୍ଷିତ ଯୁବକ ସୁବିଜ୍ଞା କେବଳ ଚଳିତ ବର୍ଷ ଏଭଳି ମାଛଚାଷରୁ ପ୍ରାୟ 7 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ଆୟ କରିସାରିଛନ୍ତି । ଏହାଛଡ଼ା ଜିଲ୍ଲାର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ଏହାର ସୁଫଳ ପାଇଥିବା ସୂଚନା ମିଳିଛି । ତେବେ ମହାନଦୀ କୂଳରେ ଥିବା ବୌଦ୍ଧ ଜିଲ୍ଲାରେ ମାଛଚାଷ ନିମନ୍ତେ ଅନୁକୂଳ ଜଳବାୟୁ ଯୋଗୁଁ ଏଠାରେ ମାଛ ଚାଷର ସମ୍ଭାବନା ରହିଛି । ତେଣୁ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହଶହ ପରିବାର ଏହି ମାଛ ଚାଷ ପାଇଁ ବେଶ ଆଗ୍ରହ ପ୍ରକାଶ କରୁଥିବା ବେଳେ ଜିଲ୍ଲାରେ ମାଛ ଚାଷର ଭବିଷ୍ୟତକୁ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ ।
ଇଟିଭି ଭାରତ, ବୌଦ୍ଧ