ବୌଦ୍ଧ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୌଦ୍ଧ ଜିଲ୍ଲାରେ ଘୋଡ଼ା ବେପାର ଆରମ୍ଭ ହୋଇଗଲାଣି । ପଞ୍ଚାୟତରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯାଉଛି ଅଫର । ଏଭଳି ଏକ ଅଡିଓ ଓ ଭିଡିଓ ଜିଲ୍ଲାରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ବହିରା ଓ ଗୋଛାପଡ଼ା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ବିବାଦ ଏଯାଏଁ ଥମିନି । ବର୍ତ୍ତମାନ ପୁଣି ମନମୁଣ୍ଡା ପଞ୍ଚାୟତରେ ପ୍ରାର୍ଥୀଙ୍କୁ ଅର୍ଥ ଲୋଭ ଦେଖାଇ ନିର୍ବାଚନରୁ ଓହରିଯିବାକୁ ଅଫର ଦିଆଯାଉଥିବା ଅଭିଯୋଗ ହୋଇଛି ।
ମନମୁଣ୍ଡା ପଞ୍ଚାୟତର ସମସ୍ତ ୬ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ନିର୍ବାଚନରୁ ଓହରି ଯାଇଛନ୍ତି । ବାକିଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ଆଉ ଜଣେ ପ୍ରାର୍ଥୀଙ୍କୁ ଟଙ୍କା ନେଇ ନିର୍ବାଚନରୁ ଓହରି ଯିବାକୁ କହୁଥିବା ଅଡିଓରେ ଶୁଣିବାକୁ ମିଳୁଛି । ଖାଲି ସେତିକି ନୁହେଁ ବ୍ୟକ୍ତି ଜଣକ ଦୁଇଜଣ ପ୍ରାର୍ଥୀ ଟଙ୍କା ନେଇ ନିର୍ବାଚନରୁ ଓହରିବାକୁ ପ୍ରସ୍ତୁତ ଥିବା କହୁଛନ୍ତି ।
ସ୍ବଚ୍ଛ ତଥା ଅବାଧ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି କରାଯାଉଛି । ଏଭଳି ସ୍ଥିତିରେ ଏଭଳି ଏକ ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏ ସମ୍ପର୍କରେ ଖୋଦ୍ ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସ୍ବାମୀ ପ୍ରତିକ୍ରିୟା ରଖିଛନ୍ତି । ସ୍ଥାନୀୟ ବୁଦ୍ଧିଜୀବୀ ଏହାର ତୀବ୍ର ସମାଲୋଚନା କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ