ବୌଦ୍ଧ: ଦୀର୍ଘ ୧୦ ବର୍ଷ ପରେ ନିଖୋଜ ପୁଅକୁ ପାଇଲେ ପରିବାର ଲୋକେ । ବିହାର ରାଜ୍ୟର ଲଖିସରାଇ ଜିଲ୍ଲା ଅନ୍ତର୍ଗତ ମସୋହରା ଗ୍ରାମର ମିଟୁ ପାଣ୍ଡେ ସୁରଟକୁ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ତେବେ ତାଙ୍କୁ ୧୦ ବର୍ଷ ପରେ ପାଇଥିବାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ସ୍ବେଚ୍ଛାସେବୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମିଟୁଙ୍କ ପରିବାର ।
ସୂଚନା ମୁତାବକ ପ୍ରାୟ ୧୦ ବର୍ଷ ପୂର୍ବରୁ ବିହାରର ମିଟୁ ପାଣ୍ଡେ ସୁରଟକୁ କାର୍ଯ୍ୟ ଅନ୍ବେଷଣରେ ବାହାରି ଥିଲେ । ତେବେ କୌଣସି କାରଣ ବଶତଃ ତାଙ୍କର ମାନସିକ ବିକୃତି ଘଟିବାରୁ ସେ ଆଉ ଘରକୁ ଫେରି ପାରିନଥିଲେ । ସେପଟେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଏହାପରେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଦୀର୍ଘ ଦିନ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ପୁଅର ଫେରିବା ଆଶା ମଉଳି ଯାଇଥିଲା ।
ତେବେ ଦୀର୍ଘ ପ୍ରାୟ ୧୦ ବର୍ଷ ବିଭିନ୍ନ ସ୍ଥାନ ବୁଲିବା ପରେ ଗତ କିଛିମାସ ହେଲା ମାନସିକ ଭିନ୍ନକ୍ଷମ ମିଟୁ ବୌଦ୍ଧ ସହରରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିଲେ । ଏଭଳି ଅବସ୍ଥା ଦେଖି କେହି କେହି ତାଙ୍କୁ ଖାଦ୍ୟ ପ୍ରଦାନ କରୁଥିଲେ । ଏପରିକି କିଛି ବ୍ୟକ୍ତି ମିଟୁ ସହିତ ଧିରେ ଧିରେ କଥାବାର୍ତ୍ତା କରି ତାର ଠିକଣା ସଂଗ୍ରହ କରିବା ସହିତ ସାମାଜିକ ଗଣ ମାଧ୍ୟମରେ ତାଙ୍କ ପରିବାର ସହ ସମ୍ପର୍କ କରି ମିଟୁର ସୂଚନା ଦେଇଥିଲେ । ଶେଷରେ ଶୁକ୍ରବାର ମିଟୁର ବାପା, ଭାଇ ଓ ଅନ୍ୟ ଦୁଇ ଜଣ ସମ୍ପର୍କୀୟ ବୌଦ୍ଧରେ ପୁଅ ମିଟୁ ପାଖରେ ପହଞ୍ଚି ଥିଲେ ।
ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ମଧ୍ୟ ଏଭଳି ଘଟଣା ସମ୍ପର୍କରେ ଖବର ପାଇ ଆର୍ଥିକ ସହାୟତା କରି ମିଟୁକୁ ତାର ପରିବାର ସହ ଲଖିସରାଇ ଯିବା ପାଇଁ ବ୍ୟବସ୍ଥା କରାଇଥିଲେ । ଦୀର୍ଘ ୧୦ ବର୍ଷ ପରେ ପୁଅକୁ ଫେରି ପାଇଥିବାରୁ ମିଟୁର ବାପା ଆତ୍ମହରା ହୋଇ ପଡିବା ସହିତ ଉଭୟ ସ୍ବେଚ୍ଛାସେବୀ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ଏନେଇ ସ୍ବେଚ୍ଛାସେବୀ ସମ୍ପଦ କୁମାର ଅଗ୍ରୱାଲ କହିଛନ୍ତି, "ଏହି ଯୁବକ ଅନେକ ଦିନ ହେବ ବୌଦ୍ଧ ସହରରେ ବୁଲୁଥିଲେ । ସେ ମାନସିକ ରୋଗୀ ହୋଇଥିବାରୁ ତାଙ୍କ ସହିତ ବହୁ ଆଲୋଚନା ପରେ ଆମେ ତାଙ୍କ ପରିବାର ସମ୍ପର୍କରେ ସାମାନ୍ୟ ସୂଚନା ପାଇଥିଲୁ । ଏହାପରେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ ପରେ ତାଙ୍କ ପରିବାର ସହ ସମ୍ପର୍କ କରିପାରିଥିଲୁ ।"
ଇଟିଭି ଭାରତ, ବୌଦ୍ଧ