ବୌଦ୍ଧ: ଡେଥ ଜୋନ ସାଜିଛି ସେତୁ । ବିଗତ ଦୁଇ ବର୍ଷ ମଧ୍ୟରେ 6 ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ଦଶରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତିରେ ପୁଣି ଜଣେ ଯୁବକଙ୍କ ଏଠାରେ ମୃତ୍ୟୁ ହୋଇଥିଲା ବେଳେ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଏକ ଛୋଟ ବୁଲାଣି ନିକଟରେ ଥିବା ଏହି ଛୋଟ ସେତୁ ଏବେ ବଡ ଖବରର ଶିରୋନାମା ହୋଇଯାଇଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଡଭେଲିପଦର ଓ ବିଳାସପୁର ମଝିରେ ଥିବା ମେହେରୁଣୀ ସେତୁ ନିକଟରେ ଥିବା ଅନ୍ୟ ଏକ ଛୋଟ ଦୟାମତୀ ସେତୁ ବର୍ତ୍ତମାନ ଡେଥ ଜୋନ ପାଲଟି ଯାଇଛି । ପ୍ରାୟ ସମୟରେ ଏହି ସେତୁ ନିକଟରେ ସଡକ ଦୁର୍ଘଟଣା ଘଟି ଧନ ଜୀବନ କ୍ଷୟ କ୍ଷତି ଘଟୁଛି । କେବଳ ଦୁଇ ବର୍ଷ ମଧ୍ୟରେ ଏଠାରେ ଦୁର୍ଘଟଣା ଘଟି 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।
ବୁଧବାର ରାତିରେ ଆଉ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ସଡକର ନିର୍ମାଣ ଶୈଳୀକୁ ନେଇ ଉଠିଛି ପ୍ରଶ୍ନବାଚୀ । ଏଠାରେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ କୌଣସି ସୂଚନା କିମ୍ବା ସତର୍କତା ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି । ସେପଟେ ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଏଭଳି ଅବସ୍ଥା ହୋଇଥିବା ବୁଦ୍ଧିଜୀବୀ କହିଛନ୍ତି । ତୁରନ୍ତ ଏଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ