ବୌଦ୍ଧ: ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ । ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ପରିବାରଙ୍କୁ ସରକାରୀ ଯୋଜନାରୁ ବାଦ ପଡୁଥିବା ପ୍ରସଙ୍ଗରେ ଏହି ହଟ୍ଟଗୋଳ ହୋଇଥିଲା । ଶେଷରେ ଉକ୍ତ ପରିବାର ଗୁଡିକୁ ଆବାସ ଯୋଜନାରେ ସାମିଲ ସହ ବିସ୍ଥାପନ ସମସ୍ୟା ଦୂର ପାଇଁ ନିଷ୍ପତ୍ତି ହୋଇଥିଲା ।
ବୌଦ୍ଧ ଜିଲ୍ଲାର ଏକ ଅତ୍ୟନ୍ତ ଅବହେଳିତ ଗ୍ରାମ କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ ମାରଡା । ଏହି ମାରଡା ଗ୍ରାମ ସାତକୋଶିଆ ବାଘ ଅଭୟାରଣ୍ୟ ଘୋଷଣା ପରେ ସେଠାରେ କାଳକାଳରୁ ବସବାସ କରୁଥିବା ପରିବାର ଗୁଡିକୁ ବିସ୍ଥାପନ ପାଇଁ ଜଙ୍ଗଲ ବିଭାଗ ଚାପ ପ୍ରୟୋଗ କରି ଆସୁଥିଲା । ପ୍ରାଚୀନ ଜଗନ୍ନାଥ ସଡକ କଡରେ ରହିଥିବା ଏହି ଗାଁ ଗୋଟିଏ ସମୟରେ ଶ୍ରୀକ୍ଷେତ୍ର ଯାତ୍ରୀଙ୍କ ପ୍ରାକୃତିକ ଆଶ୍ରୟସ୍ଥଳୀ ଭାବରେ ପରିଚିତ ଥିବାବେଳେ ବର୍ତ୍ତମାନ ସେଠାରେ ବାସ କରୁଥିବା ପରିବାରଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ହୋଇପଡିଛି ।
ଏଠାରେ ଆବାସ, ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା, ସ୍ବାସ୍ଥ୍ୟ ଯୋଜନା ସବୁକିଛି ବିଚ୍ଛିନ୍ନ ହୋଇରହିଛି । ଫଳରେ ଅନେକ ସମସ୍ୟା ଦେଇ ଦିନ କାଟୁଛନ୍ତି ମାରଡା ଗ୍ରାମବାସୀ । ସେପଟେ ଜଙ୍ଗଲର ଅନ୍ୟ ପାର୍ଶ୍ଵରେ ନୟାଗଡ଼ ଜିଲ୍ଲାର କୁତୁରୀ ଗ୍ରାମ ଏହି ସେଞ୍ଚୁରୀ ଅଞ୍ଚଳରେ ଥାଇ ମଧ୍ୟ ସେମାନଙ୍କୁ ସବୁକିଛି ଯୋଜନାରେ ସାମିଲ କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ବୌଦ୍ଧ ଜିଲ୍ଲା ପରିଷଦର ବୈଠକରେ ପରିଷଦର ସଭ୍ୟ ଓ ଖୋଦ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଦୃଢ ପ୍ରତିବାଦ ସହ ଏହି ଗ୍ରାମରେ ସରକାରୀ ଯୋଜନା ପହଞ୍ଚାଇବାକୁ ଦାବି କରିଥିଲେ ।
ଶେଷରେ ବୌଦ୍ଧ ଓ କଣ୍ଟାମାଳ ବିଧାୟକଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଉକ୍ତ ଗ୍ରାମରେ ବାସ କରୁଥିବା ପରିବାରଙ୍କୁ ଆବାସ ଯୋଜନାରେ ସାମିଲ ସହିତ ଅନ୍ୟ ଜିଲ୍ଲାରେ ଜଙ୍ଗଲ ଅଞ୍ଚଳରେ ଯେଭଳି ଲୋକଙ୍କୁ ଥଇଥାନ କରାଯାଉଛି ସେହି ଶୈଳୀରେ ମାରଡା ଗ୍ରାମକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ