ବୌଦ୍ଧ: ଗଞ୍ଜେଇ ଚାଷ ଓ ବ୍ୟବସାୟକୁ ନେଇ ଲାଗିଲା ପୋଷ୍ଟର । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ପାଣ୍ଡିରିପଡା ଠାରେ ଏକ ଚପଲ ଦୋକାନ କାନ୍ଥରେ ଆଜି ସକାଳୁ ଏକ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା । ପୋଷ୍ଟର ତଳେ ମାଓବାଦୀଙ୍କ କେକେବିଏନ ଡିଭିଜନ ଲେଖା ହୋଇଥିବାରୁ ଏହି ପୋଷ୍ଟରକୁ ମାଓବାଦୀ ଲଗାଇଥିବା ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ମାଓବାଦୀଙ୍କ କେକେବିଏନ ଡିଭିଜନ ଉଲ୍ଲେଖ ଥିବା ଏହି ପୋଷ୍ଟରରେ ସ୍ଥାନୀୟ ଅଞ୍ଚଳରେ ବାହାର ଅଞ୍ଚଳର ଲୋକଙ୍କ ଗଞ୍ଜେଇ ଚାଷକୁ ବିରୋଧ କରାଯାଇଛି । ସେହିପରି ଗଞ୍ଜେଇ ମାଫିଆଙ୍କ ସହିତ ପୋଲିସର ଖବରୀଙ୍କୁ ଏହି ପୋଷ୍ଟରରେ ବିରୋଧ କରାଯାଇଛି । ତେବେ ପୂର୍ବରୁ ମାଓବାଦୀଙ୍କ ପୋଷ୍ଟର କାଗଜରେ କିମ୍ବା କପଡାରେ ହାତଲେଖା ମାଧ୍ୟମରେ ମାଓ ଅଧ୍ୟୁଷିତ ସୀମା ଅଞ୍ଚଳରେ ଲାଗୁଥିବା ବେଳେ ପ୍ରଥମ ଥର ପାଇଁ ପ୍ରିଣ୍ଟିଂ ପୋଷ୍ଟର ମାଧ୍ୟମରେ ତାହା ପୁଣି ପାଣ୍ଡିରିପଡା ଭଳି ଏକ ସ୍ଥାନରେ ଲଗାଯାଇଛି । ଯାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନମୁଣ୍ଡା ପୋଲିସର ସୂଚନା ଅନୁସାରେ ଏଭଳି କାର୍ଯ୍ୟ ସ୍ଥାନୀୟ କୌଣସି ଗଞ୍ଜେଇ ବ୍ୟବସାୟୀଙ୍କ ଦ୍ବାରା ହୋଇଥିବା ଆଶଙ୍କା କରାଯାଇଛି । ପୋଲିସ ଏହି ଘଟଣାର ଛାନଭିନ କରୁଛି ।
ଇଟିଭି ଭାରତ,ବୌଦ୍ଧ