ବୌଦ୍ଧ: ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ହାତୀ । କେତେବେଳେ ମଣିଷ ଉପରେ ହାତୀ ଭାରି ପଡ଼ିଯାଉଛି ତ ଆଉ କେତେବେଳେ ହାତୀ ଉପରେ ମଣିଷ । ତେବେ ବୌଦ୍ଧ ଜିଲ୍ଲାରେ ଥମୁନି ହାତୀ ମଣିଷ ମୁହାଁମୁହିଁ ପରିସ୍ଥିତି । ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ସହିତ ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ମୁହାଁଇଛନ୍ତି ହାତୀପଲ । ତେବେ ବାରମ୍ବାର ହାତୀ ଆତଙ୍କରେ ବ୍ୟତିବ୍ୟସ୍ତ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଅଧିବାସୀ ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ହାତୀ ଗତିବିଧି ସକ୍ରିୟ ରହିଛି । ଅଧିକାଂଶ ସମୟରେ ଜଙ୍ଗଲ ଛାଡି ହାତୀମାନେ ଜନବସତିରେ ପଶି ବ୍ୟାପକ ଫସଲ ନଷ୍ଟ ସହିତ ଧନଜୀବନ କ୍ଷୟକ୍ଷତି ଘଟାଉଛନ୍ତି । ବାରମ୍ବାର ହାତୀ ଆତଙ୍କରେ ବ୍ୟତିବ୍ୟସ୍ତ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଅଧିବାସୀ । ଜାତୀୟ ଐତିହ୍ୟ ପ୍ରାଣୀ ହାତୀର ସୁରକ୍ଷା ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏକଦା ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ବନଖଣ୍ଡର ବିଭିନ୍ନ ଜଙ୍ଗଲ ଧିରେ ଧିରେ ଶଙ୍କୁଚିତ ହେବାରେ ଲାଗିଛି । ତେଣୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀମାନେ ବାରମ୍ବାର ଜନବସତି ମୁହାଁ ହୋଇ ପଡିଛନ୍ତି । ବିଶେଷ ଭାବରେ ବର୍ତ୍ତମାନ ଧାନ ଅମଳକ୍ଷମ ହେଉଥିବା ସମୟରେ ହାତୀ ଗାଁ ମୁହାଁ ହେବା ସହିତ ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଏଭଳି ସମୟରେ ଉଭୟ ହାତୀ ଓ ମଣିଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଉଭୟଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ....ଭଦ୍ରକରେ ଦନ୍ତା ହାତୀ ଆତଙ୍କ, ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ
ଗତ ମାସରେ ଜିଲ୍ଲାର ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ତିଲପଙ୍ଗା ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତାହାତୀ ଜଣେ ବୃଦ୍ଧଙ୍କୁ ଘରୁ ଟାଣି ନେଇ କଚାଡି ଦେବା ଫଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ପୂର୍ବରୁ ମଧ୍ୟ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ବରଗାଁ, ଘଣ୍ଟାପଡା, ନାରାୟଣ ପ୍ରସାଦ ପଞ୍ଚାୟତର ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମରେ ଜଙ୍ଗଲୀ ହାତୀ ପଶି ଘରଦ୍ୱାର ଭାଙ୍ଗିବା ସହିତ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ବର୍ତ୍ତମାନ ଜିଲ୍ଲାର କଣ୍ଟାମାଳ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ କୋଡ଼ିଏରୁ ଉର୍ଦ୍ଧ୍ବ ହାତୀପଲ ରହୁଛନ୍ତି । ତେବେ ଖାଦ୍ୟ ଅନ୍ୱେଷଣରେ ହାତୀମାନେ ଜନବସତି ଆଡ଼କୁ ଚାଲିଆସୁଛନ୍ତି । ଗତ ପାଞ୍ଚ ଦିନ ତଳେ ତେଲନଦୀ କୂଳରେ ଅବସ୍ଥିତ ଉଦୟପୁର ଗ୍ରାମ ଭିତରକୁ ଏକ ଦନ୍ତାହାତୀ ପଶିଆସି କେତେକ ଗରିବ ହିତାଧିକାରୀଙ୍କ ଘର ଭାଙ୍ଗିଥିବା ସହିତ ଗଚ୍ଛିତ ଧାନ ଖାଇ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ତେବେ ବାରମ୍ବାର ଏଭଳି ହାତୀ ଗତିବିଧି ଗାଁରେ ହେଉଥିବା ଯୋଗୁଁ ଏଥିରେ ଅତିଷ୍ଠ ହୋଇ ଉତ୍ୟକ୍ତ ଗ୍ରାମବାସୀ ରାଜରାସ୍ତାକୁ ଅବରୋଧ କରିଥିଲେ । କଣ୍ଟାମାଳ ବନାଞ୍ଚଳର ବନ କର୍ମଚାରୀଙ୍କ ଅବହେଳାରୁ ଏଭଳି ହାତୀ ଆକ୍ରମଣରେ ଆତଙ୍କିତ ହୋଇ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି । ବର୍ତ୍ତମାନ ମଧ୍ୟ ଉକ୍ତ ଦନ୍ତାହାତୀ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏନେଇ ବନଖଣ୍ଡ ଅଧିକାରୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ