ବୌଦ୍ଧ: ଜମି ମାଫିଆ ଏବଂ ବଡବଡିଆଙ୍କ କବଜାରେ ରହିଛି ବୌଦ୍ଧର ବ୍ରିଟିଶ ଅମଳର ଶିକ୍ଷାନୁଷ୍ଠାନ ଜମି । କିଛି ସରକାରୀ ବିଭାଗ ମଧ୍ୟ ବେଆଇନ ଭାବେ ଜମିକୁ ନିଜ ଅଧୀନରେ ରଖିଛନ୍ତି । ବହୁବାର ସ୍ଥାନୀୟ ଲୋକ ପ୍ରଶାସନ ନିକଟରେ ଅଭିଯୋଗ କରି ନିରାଶ ହୋଇଛନ୍ତି । ସୋମବାର ଏହାର ପ୍ରତିବାଦରେ ସ୍କୁଲର ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ବ୍ରିଟିଶ ରାଜତ୍ୱରେ ଓଡ଼ିଶାର କେତୋଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ବୌଦ୍ଧସ୍ଥିତ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଥିଲା ସ୍ୱତନ୍ତ୍ର ପରିଚୟ। ସେତେବେଳେ ଅନୁଷ୍ଠାନଟି କିଙ୍ଗ ଏଡୱ।ର୍ଡ ଉଚ୍ଚ ଇଂରାଜୀ ବିଦ୍ୟାଳୟ ନାମରେ ପରିଚିତ ଥିଲା। ପ୍ରାୟ ୧୦୦ କିଲୋମିଟର ଦୂରରୁ ଏହି ବିଦ୍ୟାଳୟକୁ ଅଧ୍ୟୟନ କରିବା ପାଇଁ ଛାତ୍ର ଆସୁଥିଲେ। ଏଣୁ ରାଜା ନାରାୟଣ ପ୍ରସାଦ ଦେବ ଏହି ଶିକ୍ଷାନୁଷ୍ଠାନ ନିମନ୍ତେ ୧୯୩୦ ମସିହା ବନ୍ଦୋବସ୍ତରେ ପାଞ୍ଚ ଏକରରୁ ଊର୍ଦ୍ଧ୍ୱ ଭୂମି ରେକର୍ଡଭୁକ୍ତ କରିଥିଲେ।
ସେହି ଜମିରେ ଅଧୁନା କଚେରୀ ପଡ଼ିଆ, ଆହାର ରୋଷଶାଳା,ଏସବିଆଇ କୋଠା ନିର୍ମାଣ କରାଯାଇଛି । ବିଦ୍ୟାଳୟର ସମ୍ମୁଖ ତଥା ପଛ ଭାଗରେ ଥିବା ବିସ୍ତୁତ ଜାଗାକୁ ବିଭିନ୍ନ ବିଭାଗ ତଥା ବ୍ୟକ୍ତି ବିଶେଷ ନିଜ କବଜାରେ ରଖିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଶିକ୍ଷାନୁଷ୍ଠାନର ଜମି ହଡପ ଯୋଜନାରେ ଜଣେ ପୂର୍ବତନ ତହସିଲଦାରଙ୍କ ସହିତ ବଡବଡିଆଙ୍କ ସମ୍ପୃକ୍ତି ରହିଛି। ଏହି ବିଷୟରେ ସମସ୍ତେ ଜାଣି ଥିଲେ ମଧ୍ୟ କେହି ମୁହଁ ଖୋଲୁନାହାଁନ୍ତି। ଜମି ହଡପକୁ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇ ଅସଫଳ ହେବା ପରେ ସୋମବାର ବିଦ୍ୟାଳୟ ଅବିଭାବକ ସ୍କୁଲରେ ତାଲା ପକାଇଥିଲେ।
ଘଟଣାର ଖବର ପାଇ ସ୍ଥାନୀୟ ତହସିଲଦାର ସ୍କୁଲରେ ପହଞ୍ଚି ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଏହାସହ ମାମଲାର ତଦନ୍ତ କରିବାକୁ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ଆରଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଏହି ପୁରାତନ ଶିକ୍ଷାନୁଷ୍ଠାନର ସୁରକ୍ଷା ଓ ଅସ୍ତିତ୍ୱ ରକ୍ଷା କରିବାକୁ ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ