ବୌଦ୍ଧ: ଗାଈଗୋରୁଙ୍କ ପାଇଁ ପ୍ରତ୍ୟେକ ରାଜସ୍ୱ ମଣ୍ଡଳ ରେ ସ୍ବତନ୍ତ୍ର ଭାବରେ ଗୋଚର ଜମି ରହିଛି । ତେବେ କେତେକ ସ୍ଥାନରେ ଏହି ଗୋଚର ଜମି ଓ ଅନ୍ୟାନ୍ୟ ସର୍ବସାଧାରଣଙ୍କ ସ୍ଥାନ ଓ ପୋଖରୀକୁ ହଡପ କରାଯାଉଥିବା ଅଭିଯୋଗ ହୋଇଛି ।
ଗାଈଗୋରୁ ଙ୍କ ପାଇଁ ଉଦ୍ଦିଷ୍ଟ ଗୋଚର ଜମିକୁ ହଡପ କରାଯାଉଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି ।ସରକାରଙ୍କ ଯେତେ ବଡ ଯୋଜନା କିମ୍ବା ପ୍ରକଳ୍ପ ପ୍ରସ୍ତାବ ଗୋଚର ଜମି ପ୍ରଭାବିତ ହେଲେ ସମାନ ପରିମାଣରେ ଜମି ଚିହ୍ନଟ କରି ଯୋଗାଇ ଦିଆଯାଏ । କିନ୍ତୁ ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅଧିନରେ ଥିବା ବିଭିନ୍ନ ରାଜସ୍ବ ମଣ୍ଡଳ ରେ ବ୍ୟାପକ ଭାବେ ଗୋଚର ଜମିକୁ ହଡପ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ବାମଣ୍ଡା ଗ୍ରାମରେ ପୂର୍ବରୁ ଥିବା 13 ହେକ୍ଟର ଗୋଚର ଜମି ବର୍ତ୍ତମାନ ସ୍ଥାନୀୟ ଆର ଆଇ ଙ୍କ ସହାୟତାରେ କିଛି ଲୋକ ପଟ୍ଟା କରାଇନେଇଥିବା ନେଇ ଅଭିଯୋଗ ହୋଇଛି ।
ଏପରିକି ଉକ୍ତ ସ୍ଥାନରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଧ୍ୟ ନିର୍ମାଣ ହୋଇ ବିଲ ପୈଠ ହେଉଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ପୁଣି ବାମଣ୍ଡା ଠାରେ ଗୋଚର ଜମିରେ ଜଣେ ବ୍ୟକ୍ତି ଙ୍କ ନାମରେ ମୋ ପୋଖରୀ ଯୋଜନାରେ ବନ୍ଧ ଖୋଳାଯାଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ନିକଟରେ ଅଭିଯୋଗ ହୋଇଛି । ସେହିପରି ଲୁଣିବାହାଲ ପଞ୍ଚାୟତ ଲଇଗାଁ ଗ୍ରାମ୍ୟ ବନ୍ଧକୁ ଜଣେ ବ୍ୟକ୍ତି ନିଜ ନାମରେ ଚଞ୍ଚକତା କରି ପଟ୍ଟା କରାଇ ନେଇଥିବା ନେଇ ହରଭଙ୍ଗା ତହସିଲଦାର ଙ୍କ ନିକଟରେ ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ