ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ବିଭିନ୍ନ ବର୍ଗର ଖେଳ ପାଇଁ ବିରାଟ ସମ୍ଭାବନା ରହିଛି । ବିଶେଷ ଭାବରେ ସନ୍ତରଣ, ଆଥଲେଟ, ଫୁଟବଲ, କ୍ରିକେଟ ଭଳି ଖେଳରେ ଅନେକ କୃତି ଖେଳାଳୀ ରାଜ୍ୟ ତଥା ଜାତୀୟସ୍ତରରେ ସୁନାମ ଆଣିଛନ୍ତି । କିନ୍ତୁ ଖେଳର ବିକାଶ ପାଇଁ ଜିଲ୍ଲାରେ ସେଭଳି କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇପାରି ନାହିଁ ।
ହାଇସ୍କୁଲସ୍ତରରେ ନିଯୁକ୍ତି ପାଇଥିବା ଅନେକ କ୍ରୀଡା ଶିକ୍ଷକଙ୍କ ଅବହେଳା ଯୋଗୁଁ ଖେଳ ଓ ଖେଳାଳିଙ୍କ ବିକାଶ ଠିକ୍ରେ ହୋଇପାରୁନଥିବା ଅଭିଯୋଗ ହୋଇଛି । ସରକାର କ୍ରୀଡ଼ାର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବୌଦ୍ଧ ଭଳି ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ହୋଇପାରୁନାହିଁ ।
ଏଠାରେ ମାତ୍ର ଦୁଇଟି ପଡ଼ିଆ ମଧ୍ୟରୁ କଚେରୀ ପଡ଼ିଆରେ ବିଭିନ୍ନ କାର୍ଯ୍ୟକ୍ରମ, ଉତ୍ସବ, ମହୋତ୍ସବ ଯୋଗୁଁ ଖେଳରେ ଅଧିକାଂଶ ସମୟ ବ୍ୟାଘାତ ସୃଷ୍ଟି ହେଉଛି । ସେହିପରି ଜିଲ୍ଲା ଷ୍ଟାଡିୟମ ନିର୍ମାଣ ନାଁରେ ଦୀର୍ଘ ୧୫ବର୍ଷ ହେଲା ଉନ୍ନତି ଚାଲିଛି । ହେଲେ ଏଯାବତ ଷ୍ଟାଡିୟମର କୌଣସି ଉନ୍ନତି ହୋଇପାରିନି ।
ସେହିପରି ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ଥିବା ଖେଳପଡ଼ିଆର ଉନ୍ନତି ପାଇଁ ମନରେଗା ମାଧ୍ୟମରେ କୋଟିକୋଟି ଟଙ୍କାର ଅର୍ଥ ଖର୍ଚ୍ଚ ହେଉଛି । ତଥାପି ଏହାର ବାସ୍ତବ ଚିତ୍ର କିଛି ଅଲଗା ବର୍ଣ୍ଣନା କରିଥାଏ । ବର୍ତ୍ତମାନ ହକି ବିଶ୍ବକପ ପାଇଁ ଜିଲ୍ଲାର ଖେଳାଳିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛି ।
ଏ ସମ୍ପର୍କରେ ବୁଦ୍ଧିଜୀବୀ କହିଛନ୍ତି "ଏହି ଜିଲ୍ଲାର ଅନେକ ଖେଳାଳି ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରି ପାରିଛନ୍ତି । ଜିଲ୍ଲାରେ ଏକ କ୍ରୀଡ଼ା ପାଇଁ ବିରାଟ ଭିତ୍ତିଭୂମି ରହିଥିଲେ ମଧ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଅଭାବ ଯୋଗୁଁ ଖେଳ ଓ ଖେଳାଳିଙ୍କ ବିକାଶ ଠିକରେ ହୋଇପାରୁନି । ରାଜ୍ୟ ସରକାର ଖେଳର ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ମୁଖ୍ୟତଃ ଦେଖିବାକୁ ଗଲେ ବୌଦ୍ଧ ଜିଲ୍ଲାରେ ଖେଳାଳିଙ୍କ ଅଭ୍ୟାସ ପାଇଁ ଦୁଇଟି ପଡ଼ିଆ ରହିଛି । ହେଲେ ଏଠାରେ ଥିବା ଷ୍ଟାଡିୟମ ପଡ଼ିଆରେ ଆଜି ପର୍ଯ୍ୟନ୍ତ ଉନ୍ନତି କାମ ସରୁନି । ଯାହାଦ୍ବାରା ଏଠି ଖେଳର ବିକାଶ ହୋଇପାରୁନି ।"
ଇଟିଭି ଭାରତ, ବୌଦ୍ଧ