ବୌଦ୍ଧ: ସୁରକ୍ଷା ଉପକରଣ ଅଭାବରୁ ପୁଣି ଜଣେ ଶ୍ରମିକ ସେତୁ ଉପରୁ ଖସି ମୃତ୍ୟୁ ବରଣ କରିଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଶ୍ରମ ବିଭାଗ କାହିଁକି ଚୁପ ବସିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବୌଦ୍ଧ ଜିଲ୍ଲାର ଧଳପୁର ଠାରେ ମହାନଦୀ ଉପରେ ନିର୍ମାଣଧୀନ ସେତୁ ରଣଜିତ ବିଲ୍ଡକନ ନାମକ ଗୁଜୁରାଟର ଏକ ଠିକାସଂସ୍ଥା କାମ ନେଇଛି । ନିର୍ମାଣ ଅବଧି ଦୁଇ ଦୁଇ ଥର ସରିବାକୁ ବସିଥିଲେ ମଧ୍ୟ ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ସ୍ବପ୍ନର ସେତୁ କେବେ ସମ୍ପୂର୍ଣ୍ଣ ହେବ ତାର କୌଣସି ସୂଚନା ନାହିଁ ।
ସେପଟେ ଠିକାସଂସ୍ଥା ପକ୍ଷରୁ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ବିନା କାର୍ଯ୍ୟ ନିୟୋଜିତ ହେତୁ ଜାନୁଆରୀ 16 ତାରିଖରେ ଝାଡଖଣ୍ଡର ଜଣେ ଶ୍ରମିକ ସେତୁ ଉପରୁ ଖସି ତାଙ୍କର ମୃତ୍ୟୁ ଘଟିଥିଲା । ଗୁରୁବାର ରାତିରେ ଅନୁରୂପ ଭାବରେ ପଶ୍ଚିମବଙ୍ଗର ଜଣେ ନିର୍ମାଣ ଶ୍ରମିକ ବିନା ସୁରକ୍ଷା ଉପକରଣ ଯୋଗୁଁ ସେତୁ ଉପରୁ ଖସି ପଡି ତାଙ୍କର ମୃତ୍ୟୁ ଘଟିଛି ।
ଧଳପୁର ସେତୁ ଭଳି ବୌଦ୍ଧଠାରେ ମର୍ଜାକୁଦକୁ ସଂଯୋଗ ପାଇଁ ନିର୍ମାଣ ହେଉଥିବା ସେତୁ କାର୍ଯ୍ୟରେ ମଧ୍ୟ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ପ୍ରଦାନ କରାଯାଉ ନଥିବା ଦେଖିବାକୁ ମିଳିଛି । ଶ୍ରମିକ ନେତା ଏନେଇ ଶ୍ରମ ବିଭାଗ ଆଡକୁ ଆଙ୍ଗୁଳି ଉଠାଇଛନ୍ତି ।
ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଶ୍ରମିକଙ୍କ ମୃତ୍ୟୁ ହେଉଥିଲେ ମଧ୍ୟ ଶ୍ରମ ବିଭାଗର ଉଦାସୀନତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ