ବୌଦ୍ଧ:ଷ୍ଟୋନ କ୍ରସର ଓ କ୍ବାରିକୁ ବନ୍ଦ କରିଥିବା ବୌଦ୍ଧ ଜିଲ୍ଲା ପ୍ରଶାସନ ପୁଣିଥରେ ଏଗାର ମାସ ପରେ ଏହାକୁ ଚାଲୁ କରିବାକୁ ଅନୁମତି ଦେଇଛି । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ତୀବ୍ର ବିରୋଧ କରି ଜିଲ୍ଲାପାଳଙ୍କୁ ଖରଭୁଇଁ ଅଞ୍ଚଳବାସୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନା ଅନୁଯାୟୀ, ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୁଇଁ ଗ୍ରାମ ନିକଟରେ ଜଙ୍ଗଲ ଓ ପାହାଡ ନିକଟବର୍ତ୍ତୀ ଜମିକୁ ଶାଗମାଛ ଦରର କ୍ରସର ସଂସ୍ଥା ମାନେ କିଣି ସେଥିରେ ପଥର ଖାଦାନ କରିଥିଲେ । ଧାର୍ଯ୍ୟ ଠାରୁ ପାଞ୍ଚ ଶହ ଗୁଣ ଅଧିକ ପଥର ଲୁଟିବା ପରେ ପ୍ରଶାସନ ପନ୍ଦର କୋଟିରୁ ଉର୍ଦ୍ଧ୍ବ ଫାଇନ ପକାଇଥିଲା ।
ସେପଟେ ଖରଭୁଇଁ ଅଞ୍ଚଳରେ ଉକ୍ତ କ୍ରସର ଗୁଡିକ ଯୋଗୁଁ ଅଞ୍ଚଳରେ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପଡିବାରୁ ଜନ ଆନ୍ଦୋଳନ ପରେ ଗତବର୍ଷ ସେପ୍ଟେମ୍ବର ମାସରେ ଏସବୁ କ୍ରସର ଓ ପଥର କ୍ବାରି ଗୁଡିକୁ ଜିଲ୍ଲା ପ୍ରଶାସନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ତେବେ ପୁଣିଥରେ ଉକ୍ତ ଷ୍ଟୋନ କ୍ରସର ଗୁଡିକୁ ଚଲାଇବାକୁ ପ୍ରଶାସନ ଅନୁମତି ଦେବାପରେ ବର୍ତ୍ତମାନ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । କ୍ରସର ବନ୍ଦ ନହେଲେ ରକ୍ତାକ୍ତ ସଂଘର୍ଷ ହେବ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି ଖରଭୁଇଁ ଅଞ୍ଚଳବାସୀ ।
ଇଟିଭି ଭାରତ, ବୌଦ୍ଧ