ବୌଦ୍ଧ:ଯୁବ ବିଜେପି ନେତା ଲୋକନାଥ ପ୍ରଧାନ ହତ୍ୟାକାଣ୍ଡକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଲାଗିଛି ଆରୋପ ପ୍ରତ୍ୟାରୋପ । ଗତକାଲି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟି ସ୍ଥାନୀୟ ବିଧାୟକ ଓ ତାଙ୍କ ପୁଅଙ୍କ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ପରେ ଆଜି ତାର ଉତ୍ତର ରଖିଛନ୍ତି କଣ୍ଟାମାଳ ବିଧାୟକ ।
ଗତ ୨୫ ତାରିଖରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସିଆଲଝୁଲି ଗ୍ରାମର ଯୁବ ବିଜେପି ନେତା ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ କୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଲାଗିଛି ତୁତୁ ମେମେ । ଗତକାଲି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟିବା ସହ ବୌଦ୍ଧ ଏସପିଙ୍କୁ ଭେଟି ଏହି ହତ୍ୟାକାଣ୍ଡ ରେ ସ୍ଥାନୀୟ ବିଧାୟକ ଓ ତାଙ୍କ ପୁଅ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ । ସେହିପରି ବୁଧବାର ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ବାଇଁ ଲୋକନାଥଙ୍କ ପରିବାରକୁ ଭେଟିବା ସହ ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏହାର ନିରପେକ୍ଷ ତଦନ୍ତ ଦାବୀ କରିଥିଲେ ।
ସେପଟେ ଖୋଦ କଣ୍ଟାମାଳ ବିଧାୟକ ଏନେଇ ନିଜର ପକ୍ଷ ରଖିଛନ୍ତି । ସେ ଓଲଟା ବିଜେପି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରୁଛି ଓ ଯଦି ତାଙ୍କ କିମ୍ବା ତାଙ୍କ ପରିବାରର ଏହି ହତ୍ୟାକାଣ୍ଡ ସହ କୌଣସି ସମ୍ପୃକ୍ତିର ପ୍ରମାଣ ମିଳେ ତେବେ ସେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ସିଧାସଳଖ କହିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ