ବୌଦ୍ଧ: ମାଫିଆଙ୍କ ଟାର୍ଗେଟରେ ବିଭିନ୍ନ ଜଙ୍ଗଲ ସମ୍ପଦ । କେତେବେଳେ ବନ୍ୟଜନ୍ତୁଙ୍କ ଶୀକାର ପାଇଁ ତ ପୁଣି କେତେବେଳେ ଚୋରାକାଠ ଚାଲାଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ମାଫିଆ । ବୌଦ୍ଧ ଜିଲ୍ଲାର ପାଞ୍ଚଟି ବନାଞ୍ଚଳରେ ପୁରି ରହିଛି ଜଙ୍ଗଲ ସମ୍ପଦ । ତେବେ ବନ୍ୟଜନ୍ତୁ ଶୀକାରଠାରୁ ଆରମ୍ଭ କରି ଚୋରା ମୋରମ, ମେଟାଲ ଚାଲାଣ ସହ ଚୋରାକାଠ ଚାଲାଣ ଜଙ୍ଗଲ ବିଭାଗର ମୁଣ୍ଡବ୍ୟଥାର କାରଣ ହୋଇଛି । ଏହି ଚୋରାକାଠର ରାକେଟ କେବଳ ରାଜ୍ୟ ଭିତରେ ସୀମିତ ନରହି ରାଜ୍ୟ ବାହାରକୁ ରିତିମତ ଚାଲାଣ ହେଉଛି । ଏଭଳି ଏକ ଚୋରାକାଠ ରାକେଟକୁ ଧରିଛି ବୌଦ୍ଧ ବନଖଣ୍ଡର ସ୍ବତନ୍ତ୍ର ସ୍କ୍ବାଡ ।
ବୌଦ୍ଧ ବନଖଣ୍ଡ ଅଧିକାରୀ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ବନାଞ୍ଚଳର ଘଣ୍ଟାପଡା ଅଞ୍ଚଳରୁ ଛତିଶଗଡ଼କୁ ଚୋରା ଚାଲାଣ ହେଉଥିବା ଏକ କାଠ ଗଣ୍ଡି ବୋଝେଇ ଟ୍ରକକୁ ସ୍ବତନ୍ତ୍ର ସ୍କ୍ବାଡ ଜବତ କରିଛି । ଏନେଇ ସମ୍ବଲପୁର ଅଞ୍ଚଳର ଦୁଇ ଜଣ ବ୍ୟକ୍ତିଙ୍କୁ ଜଙ୍ଗଲ ବିଭାଗ ଗିରଫ କରିଛି । ତେବେ କଣ୍ଟାମାଳ ବନାଞ୍ଚଳରୁ ବାରମ୍ବାର ଏଭଳି ଚୋରାକାଠ ଚାଲାଣ ହେଉଥିବା ନେଇ ସ୍ଥାନୀୟ ବନ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି ।
ସେପଟେ ବଘିଆପଡା ଜଙ୍ଗଲ ଅଞ୍ଚଳର ଜାମୁଖୋଲ ବିଟ ଅନ୍ତର୍ଗତ ମେନିଆପାଜୁ ଅଞ୍ଚଳରେ ବ୍ୟାପକ ଶାଗୁଆନ ଗଛ କଟାଯାଇ ଚୋରା ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ