ବୌଦ୍ଧ: ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ବାଘ ଜଳସେଚନ ପ୍ରକଳ୍ପ ଏବେ ବିଭାଗୀୟ ଉଦାସୀନତା କାରଣରୁ ଅବହେଳିତ ହୋଇ ପଡିଛି । 1990 ଦଶକରେ ବୌଦ୍ଧର ତତ୍କାଳୀନ ବିଧାୟକ ସଚ୍ଚିଦାନନ୍ଦ ଦଲାଲଙ୍କ ପ୍ରଚେଷ୍ଟା ଯୋଗୁଁ ଶଗଡା ନିକଟରେ ବାଘନଦୀ ଉପରେ 7564.89 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଟି ନିର୍ମାଣ କରାଯାଇଥିଲା । ଲକ୍ଷ୍ୟ ଥିଲା 9660 ହେକ୍ଟର ଅଞ୍ଚଳକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଦୀର୍ଘ ବର୍ଷ ଏନେଇ ସଫଳତା ମଧ୍ୟ ମିଳିଲା । କିନ୍ତୁ ଦୀର୍ଘ ବର୍ଷର ଏହି ପ୍ରକଳ୍ପ ଏବେ ବିଭାଗୀୟ ଉଦାସୀନତାର ଶିକାର ହୋଇଛି ।
ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଅବସ୍ଥିତ ଏହି ପ୍ରକଳ୍ପ ଏବେ ଶ୍ରୀହୀନ ହେବାକୁ ବସିଛି । ସୁନା ଅଣ୍ଡା ଦିଆ କୁକୁଡ଼ା କୁ ସମ୍ପୂର୍ଣ୍ଣ ରୂପେ ମାରି ବିରିଆନି କରି ଖାଇବା ଲକ୍ଷ୍ୟରେ ବିଭାଗ ଭଳି ମନେ ହେଉଛି । ସେଠାରେ ଥିବା ପାର୍କର ଅବସ୍ଥା ନକହିବା ଭଲ ।
![ବିଭାଗୀୟ ଅପାରଗତା ଯୋଗୁଁ ଅବ୍ୟବସ୍ଥିତ ବାଘ ଜଳସେଚନ ପ୍ରକଳ୍ପ](https://etvbharatimages.akamaized.net/etvbharat/prod-images/od-boud-01-satya-bagdem-avb-od10020_03112020211543_0311f_03972_657.jpg)
ଗତ କିଛି ବର୍ଷ ତଳେ ବିଭାଗର ଅପାରଗତା ଯୋଗୁଁ ଗୋଟିଏ ଗେଟ ସମ୍ପୂର୍ଣ୍ଣ ଓ୍ବାସ ଆଉଟ ହୋଇ ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ଅନେକ ସ୍ଥାନରେ ସୁରକ୍ଷା ବାଡ ଭାଙ୍ଗିବା ସହ ଅନେକ ସ୍ଥାନରେ ବିପଦ ସୃଷ୍ଟି ହୋଇଛି ।
ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ନାଗରିକ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜଳସେଚନ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ