ବୌଦ୍ଧ : ଉଦବେଗଜନକ ସ୍ଥିତିରେ କିଡନୀ ରୋଗ । କିଡନୀ ରୋଗରେ ଆକ୍ରନ୍ତ ହୋଇ ହରଭଙ୍ଗା ବ୍ଲକରେ 250ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇସାରିଛି । ଏବେ ଆହୁରି 200ରୁ ଊର୍ଦ୍ଧ୍ବ ବ୍ୟକ୍ତି ଏହି ମହାମାରୀ ରୋଗରେ ପୀଡିତ ହୋଇଛନ୍ତି । ସେହିପରି କଣ୍ଟାମାଳ ଓ ବୌଦ୍ଧ ଜିଲ୍ଲାରେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ଏହି ରୋଗ ଏପରି ଭୟଙ୍କର ରୂପ ନେଇଛି ଯେ,ଜବଲପୁର ଭଳି ଅନେକ ଗାଁ ପୁରୁଷ ଶୂନ୍ୟ ହେବାକୁ ବସିଛି ।
ଜିଲ୍ଲାରେ କୋରୋନାରେ ସଂକ୍ରମିତ ହୋଇ ସରକାରୀ ଭାବେ 11 ଜଣ ଆଖି ବୁଜିଛନ୍ତି । ସେପଟେ କିଡନୀ ରୋଗରେ ଗଡିଲାଣି ଶହ ଶହ ମୁଣ୍ଡ । ଅନ୍ୟପଟେ, କିଡନୀ ରୋଗ ଭଳି ମାରାତ୍ମକ ରୋଗକୁ ନେଇ ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । କିଡନୀ ରୋଗରେ ଜଣେ ମହିଳାଙ୍କ ସ୍ବାମୀ ଆକ୍ରନ୍ତ ହୋଇ ଆଖିବୁଜିଥିଲେ । ଏବେ ତାଙ୍କର ପୁଅ ଏହି ରୋଗ ସହ ଲଢେଇ କରୁଛି । ସେପଟେ ଏହି ରୋଗ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବେଳେ ସରକାରୀ ସ୍ତରରେ କୌଣସି ସହଯୋଗ ମଧ୍ୟ କରୁନଥିବା ଅଭିଯୋଗ ହୋଇଛି ।
କୋଭିଡ ପୂର୍ବରୁ କେବଳ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏହା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ